ମହାଶିବରାତ୍ରି ଉପଲକ୍ଷେ ଅଯୋଧ୍ୟା ‘ସୁଇଜା କ୍ଳବ୍’ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୀଳଗିରି : ନୀଳଗିରି ଉପଖଣ୍ଡର ସାଂସ୍କୃତିକ ଓ ଐତିହ୍ୟ ସମ୍ପନ୍ନ ଗାଁ ଅଯୋଧ୍ୟା । ବହୁ ପୁରାତନ କୀର୍ତ୍ତିରାଜି ଏଠାରେ ଦେଖିବାକୁ ମିଳିଥିବା ବେଳେ ଅନେକ ସମୟରେ ବହୁ ବୁଦ୍ଧିଜୀବୀ ଓ ଗବେଷକ ଏଠାକୁ ଆସି ଗବେଷଣା କରିଛନ୍ତି । ଏହି ଅଞ୍ଚଳରୁ ବହୁ ପୁରାତନ ମନ୍ଦିର ଓ ମୂର୍ତ୍ତୀର ଭଗ୍ନାବଶେଷ ଉଦ୍ଧାର କରାଯାଇଛି । ଉକ୍ତ ଗ୍ରାମର ଅଧିକାଂଶ ଶିକ୍ଷିତ ଅଧିବାସୀ ସାରା ଭାରତବର୍ଷରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି । ଏଭଳି ଐତିହ୍ୟ ସମ୍ପନ୍ନ ଗାଁରେ ବର୍ଷର ବାର ମାସରେ ବିଭିନ୍ନ ସମୟରେ ସାଂସ୍କୃତିକ ଏବଂ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ମହାଶିବରାତ୍ରି ଉପଲକ୍ଷେ ଗ୍ରାମର ଯୁବ ସଂଗଠନ ‘ସୁଇଜା କ୍ଳବ୍’ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହାର ଦ୍ୱିତୀୟ ସନ୍ଧ୍ୟାରେ ବାଲେଶ୍ୱର ଏସ୍ପି ସାଗରିକା ନାଥ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ଯୋଗଦେଇ କ୍ଲବର ଏଭଳି ଆୟୋଜନ ଯାହା ଅଞ୍ଚଳବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିବା କହିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଭାକର ବେହେରା, ରବିନାରାୟଣ ପରିଡା, ଭଗବାନ ଦାସ, ସୁଶାନ୍ତ ଖୁଣ୍ଟିଆ ପ୍ରମୁଖ ଯୋଗଦେଇଥିଲେ । ପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ହଜାର ହଜାର ଦର୍ଶକ ମନୋଭରି ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା ।