ଆଇପିଏଲରେ କରୋନା : ଚେନ୍ନାଇ-ରାଜସ୍ଥାନ ମ୍ୟାଚ ବାତିଲ
ନୂଆଦିଲ୍ଲୀ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣ ଉପରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ପ୍ରଥମ ୨୯ଟି ମ୍ୟାଚ ସୁରୁଖୁରୁରେ ବିନା ଦର୍ଶକରେ ଚାଲିଥିବାବେଳେ ୩୦ତମ ମ୍ୟାଚଠାରୁ ପ୍ରଭାବିତ ହୋଇଛି। କରୋନା ସଂକ୍ରମଣ ଯୋଗୁ ସୋମବାର ଅନୁଷ୍ଠିତ ହେବାକୁ ଥିବା ଆରସିବି-କଲକାତା ମୁକାବିଲାକୁ ବନ୍ଦ କରାଯାଇଥିବାବେଳେ ଏବେ ପୁଣି ଚେନ୍ନାଇ-ରାଜସ୍ଥାନ ମ୍ୟାଚକୁ ବି ବାତିଲ କରାଯାଇଛି।
ଆସନ୍ତା ବୁଧବାର ଚେନ୍ନାଇ ସୁପରକିଙ୍ଗ୍ସ (ସିଏସକେ) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବାର ଥିଲା। ତେବେ ଏହା ପୂର୍ବରୁ ସିଏସକେର ୩ ଜଣ ସଦସ୍ୟ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରେ ବାଲାଜୀ ରହିଥିଲେ। ଏସଓପି ନିୟମ ଅନୁସାରେ ଯଦି କୌଣସି ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥାନ୍ତି ଏବଂ ସେ ଅନ୍ୟ କାହା ସମ୍ପର୍କରେ ଆସିଥାନ୍ତି, ତେବେ ସେମାନଙ୍କୁ ୬ ଦିନ ଏକାନ୍ତବାସରେ ରହିବା ବାଧ୍ୟତାମୂଳକ ଏବଂ ସେହି ସମୟ ମଧ୍ୟରେ ତାଙ୍କର ୩ଟି ଆରଟିପିସିଆର ପରୀକ୍ଷା ନେଗେଟିଭ ହେବା ଜରୁରୀ। ବାଲାଜୀ ଟିମର ସମସ୍ତ ସଦସ୍ୟଙ୍କ ସମ୍ପର୍କରେ ଆସିଥିବାରୁ ସବୁ ଖେଳାଳିମାନଙ୍କୁ ଏକାନ୍ତବାସରେ ରହିବାକୁ ପଡ଼ିଛି। ତେଣୁ ଏହି ମ୍ୟାଚକୁ ବାତିଲ କରାଯାଇଥିବା ଜଣାପଡ଼ିଛି। ପରବର୍ତ୍ତୀ ସମୟରେ ଅନ୍ୟ ଏକ ଧାର୍ଯ୍ୟ ତାରିଖରେ ସିଏସକେ-କେକେଆର ମ୍ୟାଚ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।