ଆଇପିଏଲ ୨୦୨୧ : ଆର୍ସିବି ବିରୁଦ୍ଧରେ ଟସ ଜିତି ସିଏସ୍କେର ବୋଲିଂ ନିଷ୍ପତ୍ତି
ଶାରଜାହ : ଆଇପିଏଲ୍ର ୩୫ତମ ଲିଗ୍ ମୁକାବିଲାରେ ଶୁକ୍ରବାର ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ । ଏହା ପୂର୍ବରୁ ଆର୍ସିବି ବିରୁଦ୍ଧରେ ଟସ ଜିତି ସିଏସ୍କେ ବୋଲିଂ ନିଷ୍ପତ୍ତି ନେଇଛି ।
ୟୁଏଇ ଚରଣରେ ନିଜର ପ୍ରଥମ ମ୍ୟାଚ୍ରେ ଆର୍ସିବି ଶୋଚନୀୟ ଭାବେ କୋଲ୍କାତା ନାଇଟ୍ ରାଇଡର୍ସ ନିକଟରୁ ହାରିଯାଇଥିଲା ବେଳେ ସିଏସ୍କେ ସହଜରେ ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ତେଣୁ ମୁକାବିଲା ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। ଗୋଟିଏ ପଟେ ଏହି ମ୍ୟାଚ୍ ଜିତି ନକ୍ଆଉଟ୍ ପର୍ଯ୍ୟାୟରେ ନିଜର ସ୍ଥିତି ଦୃଢ଼ କରିବାରେ ଆଉ ଗୋଟିଏ ପାଦ ବଢ଼ାଇବାକୁ ସିଏସ୍କେ ଲକ୍ଷ୍ୟ ରଖିଥିଲା ବେଳେ ପରାଜୟ ଗ୍ଲାନିରୁ ବାହାରି ବିଜୟ ଧାରାକୁ ଫେରିବାକୁ ଆର୍ସିବି ବ୍ୟାକୁଳିତ ଅଛି। ନକ୍ଆଉଟ୍ ପର୍ଯ୍ୟାୟ ତଥା ଶ୍ରେଷ୍ଠ ୪ ଦଳ ମଧ୍ୟରେ ରହିବାକୁ ହେଲେ ସିଏସ୍କେକୁ ଆଉ ଅତିକମ୍ରେ ୨ ବିଜୟ ଆବଶ୍ୟକ ରହିଥିଲା ବେଳେ ଆର୍ସିବିକୁ ୪ ମ୍ୟାଚ୍ ଜିତିବା ଜରୁରି ରହିଛି। ଉଭୟ ଦଳ ଲିଗ୍ ପର୍ଯ୍ୟାୟରେ ଆଉ ୬ ଲେଖାଏଁ ମ୍ୟାଚ୍ ଖେଳିବାକୁ ବାକି ରହିଛି। ତେବେ ବିଜେତା ମୁମ୍ବାଇକୁ ୨୦ ରନ୍ରେ ପରାସ୍ତ କରି ଆତ୍ମବିଶ୍ବାସରେ ଭରପୁର ଥିବା ସିଏସ୍କେ ବିପକ୍ଷରେ ଆର୍ସିବିକୁ ଜିତିବାକୁ ହେଲେ ଦଳଗତ ପ୍ରଦର୍ଶନ ଦେବାକୁ ପଡ଼ିବ। ବିଶେଷକରି ଆର୍ସିବିକୁ ତା’ର ବ୍ୟାଟିଂ ବିଭାଗରେ ଅଧିକ ଶକ୍ତିଶାଳୀ ହେବାକୁ ପଡ଼ିବ। କାଗଜକଲମରେ ଏହି ଦଳ ତାରକା ଖଚିତ ବୋଲି ଜଣାପଡୁଥିଲେ ମଧ୍ୟ ଚେନ୍ନାଇର ଗଭୀରତା ଆର୍ସିବି ପାଇଁ ବିପଦ ସୃଷ୍ଟି କରିପାରେ। ଉଭୟ ଦଳ ପରସ୍ପର ୨୬ ଥର ମୁହାଁମୁହିଁ ହୋଇଥିଲା ବେଳେ ସିଏସ୍କେ ୧୭ ବିଜୟ ସହ ଆର୍ସିବି (୯)ଠୁ ବହୁ ଉପରେ ରହିଛି। ଏପରିକି ଶେଷ ୧୧ ମୁକାବିଲାରୁ ସିଏସ୍କେ ୯ ବିଜୟ ପାଇଛି। ସୂଚନା ଯେ, ଏପ୍ରିଲ ୨୫ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯାଇଥିଲା । ଏହି ମ୍ୟାଚ୍ରେ ସୁପରକିଙ୍ଗ୍ସ ୬୯ ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସକୁ ପରାସ୍ତ କରିଥିଲା । ରୟାଲ୍ ଚ୍ୟାଲେଞ୍ଜର୍ସ ଏଥର ଶ୍ରେଷ୍ଠ ପ୍ରଦର୍ଶନ କରି ବିଜୟକୁ ଫେରିବା ପାଇଁ ପ୍ରସ୍ତୁତ । ଚମତ୍କାର ବିଜୟ ସହ ଦ୍ୱିତୀୟାର୍ଦ୍ଧ ଆରମ୍ଭ କରିଥିବା ସୁପରକିଙ୍ଗ୍ସ ଶୁକ୍ରବାର ଏକ ସନ୍ତୁଳିତ ଦଳ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ଅମ୍ବାତି ରାୟୁଡୁ ଆହତ ଅଛନ୍ତି । ତାଙ୍କ ସ୍ଥାନରେ ରବିନ ଉଥପ୍ପାଙ୍କୁ ଏକାଦଶରେ ସୁଯୋଗ ମିଳିବା ଆଶା କରାଯାଉଛି । ବାକି ଦଳ ଅପରିବର୍ତ୍ତିତ ରହିବା ନିଶ୍ଚିତ । ସେହିପରି ପଏଣ୍ଟ୍ ତାଲିକାରେ ଆର୍ସିବି ତୃତୀୟ ସ୍ଥାନରେ ରହିଥିଲା ବେଳେ ସିଏସ୍କେ ଦ୍ବିତୀୟ ସ୍ଥାନରେ ଅଛି। ଆର୍ସିବି ୮ ମ୍ୟାଚ୍ ଖେଳି ୫ ବିଜୟ ପାଇଥିଲା ବେଳେ ସିଏସ୍କେ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୬ ବିଜୟ ହାସଲ କରିଛି।