ଓପିଇସି+ ପକ୍ଷରୁ ଉତ୍ପାଦାନରେ ହ୍ରାସ ଘୋଷଣା ପରେ ବଢ଼ିଲା ଅଶୋଧିତ ତୈଳ ଦାମ, ଜାଣନ୍ତୁ ଭାରତ ଉପରେ କଣ ପଡ଼ିବ ପ୍ରଭାବ?
ନୂଆଦିଲ୍ଲୀ : ଅଶୋଧିତ ତୈଳ ଦର ବୃଦ୍ଧି । ତୈଳ ଉତ୍ପାଦନରେ ହ୍ରାସ କରିବ ପେଟ୍ରୋଲିୟମ ରପ୍ତାନିକାରୀ ଦେଶର ସଂଘ (ଓପିଇସି+) । ପ୍ରତିଦିନ ୧.୧୬ ମିଲିୟନ ବ୍ୟାରେଲ୍ ତେଲ ରପ୍ତାନୀରେ କାଟ୍ କରିବ ବୋଲି ଓପିଇସି ଘୋଷଣା କରିଛି। ଓପିଇସିର ଘୋଷଣା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବଢିଛି । ବଜାରରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ଉତ୍ପାଦନ ହ୍ରାସ କରିବାକୁ ଘୋଷଣା କରିବା ପରେ ରପ୍ତାନୀରେ କାଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।
ସୂଚନା ଯେ, ଗତ ଏପ୍ରିଲ ୨ ତାରିଖରେ ସାଉଦି ଆରବ ନେତୃତ୍ୱରେ ମଧ୍ୟପ୍ରାଚ୍ୟ ଦେଶ ଯଥା ଇରାକ, ୟୁଏଇ ଓ କୁଏତ ତୈଳ ରପ୍ତାନୀର କାଟ କରିବାକୁ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଆସନ୍ତା ନଭେମ୍ବରରୁ ୨୦୨୩ ଶେଷ ଯାଏ ଦୈନିକ ୨ ମିଲିୟନ ତୈଳ ଉତ୍ପାଦନ ହ୍ରାସ କରିବାକୁ ଓପିଇସିରେ ସହମତି ପ୍ରକାଶ ପାଇଥିଲା। ହେଲେ ଏବ ମେ ମାସ ଠାରୁ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ବଜାରକୁ ସ୍ଥିର ରଖିବା ପାଇଁ ତୈଳ ରପ୍ତାନୀକାରୀ ସଂଘ ରପ୍ତାନୀ କମାଇବାକୁ ଘୋଷଣା କରିଛି। ଯଦିଓ ଆମେରିକାର ଅଧିକରୁ ଅଧିକ ତୈଳ ଉତ୍ପାଦନ ପାଇଁ ଦାବି କରିଆସୁଛି।
ସାଉଦି ଆରବ ଦୈନିକ ୫୦୦,୦୦୦ ବ୍ୟାରେଲ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଇରାକ ୨୦୦,୦୦୦ ବିପିଡି(ବ୍ୟାରେଲ ପ୍ରତିଦିନ) ଉତ୍ପାଦନ କାଟ କରିବ। ଚଳିତ ବର୍ଷ ମେ ୨୦୨୩ ଠାରୁ ବର୍ଷ ଶେଷ ଯାଏ ଉତ୍ପାଦନ ହ୍ରାସ କରାଯିବ ବୋଲି ଦୁଇ ଦେଶ କହିଛନ୍ତି। ଋଷ ମଧ୍ୟ ଓପିଇସି+ ଅଧିନରେ ଆସୁଛି। ଋଷ ମଧ୍ୟ ପୂର୍ବରୁ ତୈଳ ଉତ୍ପାଦନରେ କାଟ୍ କରିବ ବୋଲି ଫେବ୍ରୁଆରୀ ମାସରେ ଘୋଷଣା କରି ସାରିଛି। ଋଷ ଦୈନିକ ୫୦୦,୦୦୦ ବ୍ୟାରେଲ ଉତ୍ପାଦନ କାଟ କରିବ ବୋଲି କହିଛି।
ତୈଳ ଉତ୍ପାଦନରେ କାଟ ପରେ ଡବ୍ଲୁଟିଆଇ କ୍ରୁଡ୍ ୮ ପ୍ରତିଶତ ବଢ଼ିଯାଇଥିବା ବେଳେ ବ୍ରେଣ୍ଟ କ୍ରୁଡ୍ ପାଖାପାଖି ୫ ପ୍ରତିଶତ ବଢି ବ୍ୟାରେଲ ପ୍ରତି ୮୫ ଡଲାରକୁ ବୃଦ୍ଧି ପାଇଛି। ଡବ୍ଲୁଟିଆଇ କ୍ରୁଡ୍ ଅଏଲ- ଆମେରିକାର ଟେକ୍ସାସ୍, ନର୍ଥ ଡାକୋଟା, ଏବଂ ଲୁଇସିଆନାରୁ ଉତ୍ପାଦନ ହେଉଥିବା ତୈଳ। ବ୍ରେଣ୍ଟ କ୍ରୁଡ୍- ୟୁରୋପ ନିକଟସ୍ଥ ଉତ୍ତର ସାଗରରେ ଥିବା ଇକୋଫିକ୍ସ ଅଏଲ୍ ଫିଲ୍ଡ, ଫୋର୍ଟିଂସ ଏବଂ ଓସେବର୍ଗ ଅଏଲ ପିଲ୍ଡରୁ ଉତ୍ପାଦନ ହେଉଥିବା ତେଲ।
ବିଶ୍ୱରେ ଉତ୍ପାଦନ ହେଉଥିବା ସବୁ ଅଶୋଧିତ ତୈଳର ୪୦ ପ୍ରତିଶତ ଓପିଇସି+ ରେ ଉତ୍ପାଦନ ହୋଇଥାଏ। ଏହି ସଂଗଠନ ସଦସ୍ୟ ଥିବା ସାଉଦି ଆରବ ଦୈନିକ ୫ ଲକ୍ଷ ବ୍ୟାରେଲ, ଇରାକ ୨ ଲକ୍ଷ ବ୍ୟାରେଲ ଉତ୍ପାଦନ କାଟ କରୁଥିବା ବେଳେ ୟୁଏଇ, କୁଏତ, ଅଲ୍ଜିରିଆ ଓ ଓମାନ ସମସ୍ତେ ଉତ୍ପାଦନ ହ୍ରାସ କରୁଛନ୍ତି। ଋଷ ପୂର୍ବରୁ ମାର୍ଚ୍ଚରୁ ଜୁନ ପର୍ଯ୍ୟନ୍ତ ପ୍ରଡକ୍ସନ ହ୍ରାସ କରିବ ବୋଲି କହିଥିଲା। ହେଲେ ଏବେ ୨୦୨୩ ଯାଏ ଉତ୍ପାଦନ କରିବ ନାହଁ ବୋଲି କହିସାରିଛି।
ତୈଳ ଉତ୍ପାଦନ ହ୍ରାସ ଦ୍ୱାରା ଭାରତ ଉପରେ ଏହାର ପ୍ରଭାବ ପଡ଼ିବ। ଭାରତ ନିଜର ଆବଶ୍ୟକତା ପାଇଁ ୮୫ ପ୍ରତିଶତ ତୈଳ ଆମଦାନୀ କରିଥାଏ। ଉତ୍ପାଦନ ହ୍ରାସ ହେଲେ ମୂଲ୍ୟ ବଢ଼ିବ। ଫଳରେ ଭାରତର ଆମଦାନୀ କମିବ। ବିଶ୍ୱର ସବୁଠାରୁ ବଡ଼ ତୈଳ ଉତ୍ପାଦାନକାରୀ ରାଷ୍ଟ୍ର ମଧ୍ୟରୁ ଗୋଟିଏ ଋଷ ଠାରୁ ଭାରତ ତୈଳ ଆମଦାନୀ କରୁଥିଲା। ହେଲେ ଋଷ ବି ଉତ୍ପାଦନରେ କାଟ୍ କରିବ ବୋଲି କହିଛି। ତେଣୁ ଭାରତ ମଧ୍ୟ ପ୍ରଭାବିତ ହେବ।