ଲକଡାଉନ୍ ପୂର୍ବରୁ ପାର୍କରେ ପ୍ରେମୀ ଯୁଗଳଙ୍କ ଭିଡ଼!
ଭୁବନେଶ୍ୱର : ‘ଛଳଛଳ ଆଖି । କୋହ ଭରା କଥା । ଆଖିରେ ଅସୁମାରୀ ଆଶଙ୍କା । ବିରହ ବେଦନା । ପୁଣି କେବେ ଦେଖା ହେବ… । ସତରେ ୧୪ ଦିନ ମଧ୍ୟରେ ଲକଡାଉନ୍ ସରିଯିବ, ନା ପୁଣି ବଢ଼ିିବ । ଛାଡ଼.., ଏବେ କେବଳ ମୋବାଇଲ୍ ଭରସା । ଭିଡିଓ କଲରେ ଯାହା ଟିକେ ମୁହଁ ଚାହାଁ ଚାହିଁ ହୋଇପାରିବ । ମଧୁସୂଦନ ପାର୍କ ଆଗରେ ଜଣେ ପ୍ରେମିକ ତାର ପ୍ରେମିକାକୁ ଏପରି ଭାବେ ବୁଝାଉଥିଲେ । ତାଙ୍କ ମିଳନ ଭିତରେ ହଠାତ୍ ପ୍ରାଚୀର ପାଲଟିଛି ନୂଆ ୧୪ ଦିନିଆ ଲକ୍ଡାଉନ୍ । ଲକଡାଉନ୍ ପୂର୍ବରୁ ଆଜି ଖାଲି ସପିଂ ମଲ୍ କି ହାଟ ବଜାର ନୁହେଁ କିଛି ପାର୍କରେ ବି ପ୍ରେମୀ ଯୁଗଳଙ୍କ ଭିଡ଼ ଲାଗିଥିଲା ।
ଆସନ୍ତା ବୁଧବାରଠାରୁ ୧୯ ତାରିଖ ପ୍ରର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ । ଲକ୍ଡାଉନ ପୂର୍ବରୁ ଆଜି ବିଭିନ୍ନ ପାର୍କ, ରେଷ୍ଟୁରାଣ୍ଟ ଏବଂ ସପିଂମଲ୍ ଆଗରେ ପ୍ରେମୀଯୁଗଳ ମାନଙ୍କ ବେଶ ଭିଡ ଦେଖିବାକୁ ମିଳିିଛି । ପାର୍କ ଆଗରେ ଉଭୟ ପୁଅ ଝିଅ ଯୋଡାଯୋଡି ହୋଇ ଠିଆ ହୋଇଥିବାର ଦେଖିବାକୁ ମିଳିଛି । କରୋନା ଯୋଗୁଁ ବାହାରକୁ ବାହାରିବା ଉପରେ ପ୍ରତିବନ୍ଧକ ଲାଗିଛି । ଏପରି ପରିସ୍ଥିତିରେ ରାଜଧାନୀରେ ବାଇକ୍ରେ ମଧ୍ୟ କିଛି ପ୍ରେମୀ ଯୁଗଳ ଘୁରି ବୁଲିଥିଲେ। ସେହିପରି ଫରେଷ୍ଟ ପାର୍କ, ଆଇଜି ପାର୍କ, ଏକ୍ରାମ ପାର୍କରେ ଆଦିରେ ମଧ୍ୟ ଗହଳି ବେଶ ଜମିଥିଲା । ସମସ୍ତଙ୍କ ମନ ପ୍ରାୟ ମଉଳି ଯାଇଥିଲା । ୧୫ ଦିନର ବିଚ୍ଛେଦ ସେମାନଙ୍କୁ ବ୍ୟସ୍ତ ବିବ୍ରତ କରି ପକାଉଥିଲା । ଏପରି ପରିସ୍ଥିତି ଜଣେ ଅନ୍ୟ ଜଣଙ୍କୁ ସାନ୍ତ୍ୱନା ଦେବା ସହ ଖୁବ ଶୀଘ୍ର ଦେଖା ହେବା ପାଇଁ ପ୍ରତିଶ୍ରୁତି ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।