ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାର ତଦନ୍ତ କରିବ କ୍ରାଇମବ୍ରାଂଚ
ଭୁବନେଶ୍ୱର : ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ କରିବ । ଡିଜିପିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଂଚ ତଦନ୍ତ ଭାର ଗ୍ରହଣ କରିଛି । କ୍ରାଇମ୍ ବ୍ରାଂଚ ଏଡିଜି ସଂଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ହତ୍ୟା ମାମଲାର ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଛି । କ୍ରାଇମବ୍ରାଂଚ ଡିଏସପି କଳ୍ପନା ସାହୁ ଟିମ୍ ର ନେତୃତ୍ୱ ନେବେ । ଟିମ୍ ରେ ମୋଟ୍ ୯ ଜଣ ସଦସ୍ୟ ରହିବେ । ୱେବ୍ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ଗୋଟିଏ ଟିମ୍ ନିୟୋଜିତ ହେବ । ଶର୍ମିଷ୍ଠା ରାଜ୍ୟ ବାହାରେ ଥିବାରୁ ଏକ ଟିମ୍ ବାହାରକୁ ଯିବ । ବର୍ତମାନ ତଦନ୍ତ ଜାରି ରହିଥିବାରୁ ସବୁ ତଥ୍ୟ ଦିଆଯାଇ ପାରିବ ନାହିଁ । ତେଣୁ ତଦନ୍ତ ପରେ ଗଣମାଧ୍ୟମକୁ ଅଧିକ ତଥ୍ୟ ଦିଆଯିବ ।
ବୁଧବାର ଦିନ କ୍ରାଇମବ୍ରାଂଚ ତଦନ୍ତ କରିବା ନେଇ ପୋଲିସ ଡିଜି ସୁନୀଲ ବଂଶଲ ନିର୍ଦ୍ଦେଶ ଦେଇଛନ୍ତି । ଶର୍ମିଷ୍ଠାଙ୍କୁ ଧରିବା ସହ ତଦନ୍ତକୁ ଅଗ୍ରଗତି କରାଇବାକୁ କ୍ରାଇମବ୍ରାଂଚ ପୋଲିସକୁ ସହଯୋଗ କରିବ । ଚାନ୍ଦବାଲି ଥାନାରେ ମାନସଙ୍କ ନିଖୋଜ ନେଇ ୨୦୨୨, ଫେବ୍ରୁଆରୀ ୧୪ରେ ପରିବାର ତରଫରୁ ଏତଲା ଦିଆଯିବାପରେ ପୋଲିସ ଆଇପିସିର ଦଫା ୩୬୩ ଓ ୩୪ରେ ମାମଲା ରୁଜୁ କରିଥିଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଗିରଫ କରିଛି ପୋଲିସ୍ । ଚାନ୍ଦବାଲି ଥାନାରେ ପହଂଚିବା ପରେ ଗିରଫ ଦର୍ଶାଇଲା ପୋଲିସ୍ । ଗତକାଲି ପରମେଶ୍ୱରଙ୍କୁ ବିଜୟୱାଡାରୁ ଧରିଥିଲା ଚାନ୍ଦବାଲି ପୋଲିସ୍ । ଫେରାର ହେବା ପାଇଁ ପରମେଶ୍ୱର ଭଉଣୀ ଶର୍ମିଷ୍ଠାଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ଶର୍ମିଷ୍ଠା ରାଉତଙ୍କ କାର ଠାବ ହୋଇଛି । ଭୁବନେଶ୍ୱରର ଏୟାରଫିଲଡ ଥାନା ଅଧୀନ ସ୍କାଏ ଟାୱାର ଆପାର୍ଟମେଂଟର ପାର୍କିଙ୍ଗରୁ ଏହି କାରକୁ ଜବତ କରାଯାଇଛି । ଏହି କାର ମାଧ୍ୟମରେ ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରାଯାଇ ଥିବାର ସନ୍ଦେହ କରାଯାଉଛି ।