ଆଜି ସୁଶୀଲ କୁମାରଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିବ କ୍ରାଇମ୍ବ୍ରାଞ୍ଚ
- ଯୁବ ପହିଲମାନ ସାଗର ଧନଖଡ ହତ୍ୟା ମାମଲା, ଘଟଣାରେ ସାମିଲ ଥିଲେ ୨୦ ଅଭିଯୁକ୍ତ
ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ସାଗର ଧନଖଡ ହତ୍ୟାକାଣ୍ଡ ଘଟଣାରେ ସୋମବାର ଦିଲ୍ଲୀ ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ କରିବ କ୍ରାଇମ ବ୍ରାଂଚ । ଏ ନେଇ ସମସ୍ତ ଦସ୍ତାବିଜ ପ୍ରସ୍ତୁତି ସରିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଆନ୍ତର୍ଜାତୀୟ ରେସଲର ସୁଶୀଲ କୁମାର । ଅଭିଯୁକ୍ତ ସୁଶୀଲ କୁମାରଙ୍କ ସମେତ ଏହି ଘଟଣାରେ ମୋଟ ୨୦ ଜଣ ସାମିଲ ଥିଲେ ତେବେ ସମସ୍ତଙ୍କ ବିରୁଦ୍ଧରେ ଆସନ୍ତାକାଲି ଅର୍ଥାତ ସୋମବାର ଚାର୍ଜସିଟ୍ ଦାଖଲ କରିବ ଦିଲ୍ଲୀ କ୍ରାଇମ ବ୍ରାଂଚ ।
ପ୍ରାୟ ୩ ମାସ ଧରି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଥିଲା । ଚାର୍ଜସିଟ୍?ରେ ରେସଲର ସୁଶୀଲ କୁମାରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗଣନା କରିଛି କ୍ରାଇମ ବ୍ରାଂଚ । ସାଗର ଧନଖଡ ହତ୍ୟା ଘଟଣାରେ ବର୍ତମାନ ସୁଦ୍ଧା ମୋଟ ୧୫ ଜଣଙ୍କୁ ଗିରଫ କରିସାରିଛି ଦିଲ୍ଲୀ ପୋଲିସ । କିନ୍ତୁ ଚାର୍ଜସିଟ୍ରେ ଅନ୍ୟ କିଛି ଅଭିଯୁକ୍ତଙ୍କ ନାଁ ମଧ୍ୟ ରହିଛି । ଚାର୍ଜସିଟ୍ରେ ନାଁ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି ପୋଲିସ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତକାଲି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ କାଲା ଜଠେଡୀ ନାମକ ଗ୍ୟାଙ୍ଗଷ୍ଟରକୁ ଗିରଫ କରିଥିଲା । କାଲା ଜଠେଡୀକୁ ଖୁବଶୀଘ୍ର ପଚରାଉଚରା କରାଯିବ । ପୂର୍ବରୁ ସୁଶୀଲ କୁମାର କହିଥିଲେ ଯେ, ତାଙ୍କ ଜୀବନ ପ୍ରତି ବିପଦ ରହିଛି । କାଲା ଜଠେଡୀ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛି । ସାଗର ଧନଖଡ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରେସଲର ସୁଶୀଲ କୁମାର ପ୍ରଥମରୁ ପୋଲିସକୁ କହିଥିଲେ ଯେ, ‘ହତ୍ୟା କରିବା ଉଦ୍ଦେଶ୍ୟରେ କିଛି କରିନଥିଲି । ମାଡିପଟ୍ ହୋଇଥିଲା କିନ୍ତୁ ହତ୍ୟା କରିବାର କୌଣସି ଯୋଜନା ନଥିଲା । ପତିଆରା ଜାହିର କରିବା ପାଇଁ ମାରପିଟ୍ ହୋଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଏତେ ବଢିଯାଇଥିଲା ଯେ, ପ୍ରଥମେ ଦାଗର ଧନଖଡଙ୍କୁ ଅପହରଣ କରିବା ପାଇଁ ଯୋଜନା କରିଥିଲେ ସୁଶୀଲ କୁମାର । ପରେ ତାଙ୍କୁ ଅପହରଣ କରିନେଇ ଅନ୍ୟ କିଛି ବ୍ୟକ୍ତିଙ୍କ ସହ ପ୍ରବଳ ମାଡ ମାରିଥିଲେ । ଯାହା ଫଲରେ ସାଗରଙ୍କର ମୃତ୍ୟୁ ହୋଇଥିଲା ।
ସୂଚନା ଯେ, ଗତ ମେ ୪ ଏବଂ ୫ ତାରିଖରେ ଘଟିଥିଲା ବହୁ ଚର୍ଚ୍ଚିତ ସାଗର ଦନଖଡ ହତ୍ୟାକାଣ୍ଡ । ଛତ୍ରସାଲ ଷ୍ଟାଡିୟମରେ ଯୁବ ରେସଲର ସାଗର ଧନଖଡ ଏବଂ ତାଙ୍କର ବନ୍ଧୁ ସୋନୁ ମହାଲଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ସାଗରଙ୍କ ମୃତ୍ୟୁ ଘଟିଥିଲା । ଘଟଣାର ମାଷ୍ଟର ମାଇଣ୍ଡ ଥିଲେ ରେସଲର ସୁଶୀଲ କୁମାର । ପୋଲିସ ସୁଶୀଲ କୁମାରଙ୍କ ସମେତ ଅନ୍ୟ ୧୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସୋମବାର ସେମାନଙ୍କ ବିରୁଦ୍ଧରେ ଦିଲ୍ଲୀ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବ ଦିଲ୍ଲୀ ପୋଲିସର କ୍ରାଇମ୍ ବ୍ରାଂଚ ।