ଧସିଲା ଅଣ୍ଡରଗ୍ରାଉଣ୍ଡ ଟନେଲ : ଫସିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
ଭୋପାଳ : ମଧ୍ୟପ୍ରଦେଶର କଟନୀ ଜିଲ୍ଲାରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ବଡ଼ ଦୁର୍ଘଟଣା ଘଟିଛି। ନର୍ମଦା ଘାଟୀ ପ୍ରକଳ୍ପ ପାଇଁ ନିର୍ମାଣାଧୀନ ଅଣ୍ଡରଗ୍ରାଉଣ୍ଡ ଟନେଲ ଧସିବାରୁ ୯ ଜଣ ଶ୍ରମିକ ଏଥିରେ ଫସିଯାଇଛନ୍ତି। ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ବଳ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଉଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଦୁର୍ଘଟଣା ସଂପର୍କରେ ଅବଗତ ହେବା ପରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସହିତ କଥା ହୋଇଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ନିର୍ମାଣାଧୀନ ସୁଡ଼ଙ୍ଗ ଧସିବାରୁ ୯ ଜଣ ଶ୍ରମିକ ଫସିଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ସିଲମନାବାଦ୍ରେ ଏହି ଅଘଟଣ ଘଟିଛି। କୁହାଯାଉଛି ଯେ, ସିଲମନାବାଦରେ ନର୍ମଦା ଘାଟୀ ପ୍ରକଳ୍ପ ପାଇଁ ନଦୀର ଡାହାଣ କୂଳରେ ଟନେନ ନିର୍ମାଣ କାମ ଚାଲିଥିଲା। ନର୍ମଦା ନଦୀ ଉପରେ ନିର୍ମାଣାଧୀନ ଡ୍ୟାମରୁ ବାଣାସାଗର ପର୍ଯ୍ୟନ୍ତ ଅଣ୍ଡରଗ୍ରାଉଣ୍ଡ ଟନେଲ କାମ ଚାଲିଥିବା ବେଳେ ମାଟି ଧସିଥିଲା। ଫଳରେ ୯ ଜଣ ଶ୍ରମିକ ଫସିଯାଇଥିଲେ।ଆରମ୍ଭରୁ ୩ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। କୁହାଯାଉଛି ଯେ, ଟନେଲ ଭିତରେ ଫସିଥିବା ଶ୍ରମିକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗଭୀର ଭିତରେ ଫସିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି। ଘଟଣାସ୍ଥଳରେ ଜିଲ୍ଲାପାଳ ଓ ପୋଲିସ ଅଧୀକ୍ଷକ ମଧ୍ୟ ପହଞ୍ଚିଛନ୍ତି।