ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର ଦାବିରେ ରାସ୍ତାରୋକ
ବାଲେଶ୍ୱର : ସରକାର ବାରମ୍ବାର ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରୁଛନ୍ତି । ଦୁଇମାସ ତଳେ ୟୁନିଟ୍ ପିଛା ୨୦ପଇସା ବୃଦ୍ଧି ହୋଇଥିବା ବେଳେ ଆସନ୍ତା ଅପ୍ରେଲ ୪ ତାରିଖରୁ ପୁଣି ୟୁନିଟ୍ ପିଛା ୩୦ପଇସା ବୃଦ୍ଧି ହେବା ପାଇଁ ସ୍ଥିର ହୋଇଛି । ସରକାରଙ୍କ ଏଭଳି ନୀତି ଗରିବ ଲୋକଙ୍କର କଟାଘା’ରେ ଚୂନ ଦେବା ସଦୃଶ । କରୋନା ସମୟରେ ଲୋକମାନେ କର୍ମସଂସ୍ଥାନ ହରାଇଥିବା ବେଳେ ଲୋକଙ୍କର ରୋଜଗାର କମିଛି । ଏପରିସ୍ଥଳେ ବର୍ତ୍ତମାନ ବିଦ୍ୟୁତ୍ ଶୁଳ୍କ ବଢ଼ାଇବା ସରକାରଙ୍କ ଭୁଲ୍ ପଦକ୍ଷେପ । ସରକାରଙ୍କର ଏଭଳି ପଦକ୍ଷେପ ପ୍ରତ୍ୟାହାର ଦାବିରେ ସିପିଆଇ (ଏମ୍) ନୀଳଗିରି ଆଞ୍ଚଳିକ କମିଟି ତରଫରୁ ନୀଳଗିରି ବାଇପାସ୍ ଛକରେ ଶୁକ୍ରବାର ପୂର୍ବାହ୍ନ ୯ଟା ୩୦ମିନିଟ୍ରୁ ୧୦ଟା ପର୍ଯ୍ୟନ୍ତ ରାସ୍ତାରୋକ କରାଯାଇଥିଲା । ରାସ୍ତାରୋକରେ ଜିଲା ସମ୍ପାଦକ ମଣ୍ଡଳ ସଭ୍ୟ ବିଜୟ ପାତ୍ର, ଯୋଗାନନ୍ଦ ଦାସ, କାଳିଆ ପାତ୍ର, କୁନା ପାତ୍ର, ହେମେନ୍ଦ୍ର ସେଠୀ, ମିତାରାଣୀ ପରିଚ୍ଛା, ଅନ୍ନପୂର୍ଣ୍ଣା ମଳିକ, କରୁଣାକର ବାରିକ ପ୍ରମୁଖ ସାମିଲ ହୋଇଥିଲେ ।