କୋଭିଶିଲ୍ଡର କମାଲ ! ସୁୁସ୍ଥ ହେଲେ ପାରାଲିସିସ୍ ରୋଗୀ, ଫେରି ପାଇଲେ ବାକ୍ ଶକ୍ତି
ବୋକାରୋ : ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି କଥା କହିବାକୁ ଅସମର୍ଥ ଥିଲେ । ବର୍ତ୍ତମାନ ଏଠାରେ ଦାବି ହେଉଛିଯେ, ୫୫ ବର୍ଷିୟ ଦୁଲାରଚାନ୍ଦ ମୁଣ୍ଡା କୋଭିଶିଲ୍ଡ ଟିକା ନେବା ମାତ୍ରେ ନିଜ ବାକ୍ ଶକ୍ତି ଫେରି ପାଇଛନ୍ତି । ତାଙ୍କ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ସୁଦ୍ଧା ଚାରି ବର୍ଷ ହେବ ଶଯ୍ୟାଶାୟୀ ଥିଲେ ଦୁଲାରଚାନ୍ଦ । ସୂଚନା ଅନୁଯାୟୀ ୪ ବର୍ଷ ତଳେ ବୋକାରୋ ଅନ୍ତର୍ଗତ ପେତରୱର୍ ଗାଁର ଦୁଲାରଚାନ୍ଦ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ସେବେଠାରୁ ସେ ନିଜର ବାକ୍ ଶକ୍ତି ହରାଇବା ସହ ବିଛଣାରେ ପଡ଼ି ରହିଥିଲେ । କିନ୍ତୁ କୋଭିଶିଲ୍ଡ ଟିକା ନେବା ପରେ ଦୁଲାରଚାନ୍ଦଙ୍କ ଶରୀରରେ ହଠାତ୍ ପରିବର୍ତ୍ତନ ଦେଖାଦେଇଛି । ଯାହା ତାଙ୍କ ପରିବାର, ଗ୍ରାମବାସୀ ଏବଂ ଡାକ୍ତରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । କେବଳ ସେ କଥା କହିପାରୁଛନ୍ତି ଏହା ନୁହେଁ ସେ ଚଲାବୁଲା ମଧ୍ୟ କରିପାରୁଛନ୍ତି ।
ଡାକ୍ତରମାନେ ଏହି ଘଟଣାକୁ କେବଳ ସମକକ୍ଷ ଭାବରେ ଗ୍ରହଣ କରୁଥିବାବେଳେ ଜିଲ୍ଲାର ସିଭିଲ୍ ସର୍ଜନ ଏକ ଡାକ୍ତରୀ ଟିମ୍ ଗଠନ କରିଛନ୍ତି ଏବଂ ସେହି ବ୍ୟକ୍ତିଙ୍କ ଚିକିତ୍ସା ଇତିହାସ ବିଶ୍ଳେଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷେ ଉକ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟ କହିଛନ୍ତିଯେ, ଦୁଲାରଚାନ୍ଦ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ସେମାନେ ଡାକ୍ତରଖାନା ବ୍ୟତୀତ ମନ୍ଦିର, ମସଜିଦ ବୁଲାଇ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ । କିନ୍ତୁ କୈାଣସି ସୁଫଳ ମିଳିନଥିଲା । କିନ୍ତୁ କୋଭିଡ ଟିକା ଯୋଗୁଁ ଦୁଲାରଚାନ୍ଦ ସୁସ୍ଥ ହୋଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି ।