କୋଭିଡ୍ ଯୋଦ୍ଧାଙ୍କ ସହ ‘ପାରିବାରିକ ଫଟୋ’ ଉଠାଇଲେ ୨୦ଟି ଅର୍ଥନୀତିର ରାଷ୍ଟ୍ରମୁଖ୍ୟ
ରୋମ : ଇଟାଲୀର ରାଜଧାନୀ ରୋମରେ ଏକତ୍ରିତ ହୋଇଥିବା ବିଶ୍ବର ପ୍ରମୁଖ ୨୦ଟି ଅର୍ଥନୀତିର ରାଷ୍ଟ୍ରମୁଖ୍ୟମାନେ ଆଜି କୋଭିଡ୍ ମହାମାରୀ ବିରୋଧରେ ଲଢିଥିବା ସ୍ବାସ୍ଥ୍ୟସେବା କର୍ମୀମାନଙ୍କ ସହ ଏକ ‘ପାରିବାରିକ ଫଟୋ’ ଉଠାଇଛନ୍ତି । କରୋନା ବିରୋଧୀ ଲଢେଇରେ ସମଗ୍ର ବିଶ୍ବକୁ ଏକତ୍ରିତ କରିବା ଲକ୍ଷ୍ୟରେ ଏହି ଅଭିନବ ଉଦ୍ୟମ କରାଯାଇଥିବା କୁହାଯାଇଛି ।
ବିଶ୍ବର ୨୦ ସବୁଠୁ ବଡ଼ ଅର୍ଥବ୍ୟବସ୍ଥାର ମୁଖ୍ୟ ରୋମରେ ଏକତ୍ରୀତ ହୋଇ ଦୁଇ ଦିନିଆ ଜି-୨୦ ଶିଖର ସମ୍ମଳନୀର ଶୁଭାରମ୍ଭ କରିଛନ୍ତି । ଇଟାଲୀର ରୋମ୍ ସହରରେ ଶନିବାର ଆରମ୍ଭ ହୋଇଥିବା ଏହି ବୈଠକରେ ଜଳବାୟୁ ପରିବର୍ତ୍ତନ, କରୋନା ଏବଂ ଅର୍ଥବ୍ୟବସ୍ଥା ଉପରେ ଚର୍ଚ୍ଚା ହେବ। ନ୍ୟୁଜ୍ ଏଜେନ୍ସି ରୟଟର୍ସ ମୁତାବିକ, ପ୍ରମୁଖ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବା ଉପରେ ଜୋର ଦେଇପାରନ୍ତି। କିନ୍ତୁ ଏହାକୁ ନେଇ ନୂଆ ନୀତି ପ୍ରଣୟନ ହେବାର ଆଶା କ୍ଷୀଣ । ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ଜି-୨୦ ଶିଖର ସମ୍ମଳନୀରେ ଅଂଶଗ୍ରହଣ କରିବାକୁ ରୋମ ଆସିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସମସ୍ତ ନେତାଙ୍କୁ ସ୍ବାଗତ କରିଥିଲେ । କରୋନା ମହାମାରୀ ଆସିବା ପରଠୁ ଦୁଇ ବର୍ଷ ପରେ ପ୍ରଥମ ଥର ସମ୍ମିଳନୀ ଫେସ-ଟୁ-ଫେସ୍ ହେଉଛି । କିନ୍ତୁ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୋମରେ ପହଞ୍ଚିନାହାନ୍ତି। ଏହି ଶିଖର ସମ୍ମଳନୀ ପରେ ପରେ ଗ୍ଲାସଗୋରେ କୋପ୍ ୨୬ ଶିଖର ସମ୍ମିଳନୀ ଆୟୋଜନ ହେବ। ଏହି ସମ୍ମଳନୀରେ ମୁଖ୍ୟ ପ୍ରସଙ୍ଗ ଗ୍ଲୋବାଲ ଓ୍ବାର୍ମିଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ରୋମ ଏବଂ ଗ୍ଲାସଗୋରେ ବାର୍ତ୍ତା ମହତ୍ବପୂର୍ଣ୍ଣ ରହିବ ବୋଲି ସ୍ବୀକାର କରିଛନ୍ତି। ଏହା ସହ ସେ ଚେତାବନୀ ଦେଇ କହିଛନ୍ତ, ଯଦି ସାହସିକତାର ସହ କୌଣସି ପଦକ୍ଷେପ ନ ନିଆଯାଏ ତେବେ ଏହାର ପରିଣାମ ବହୁ ଭୟଙ୍କର ହେବ।