ଏଣିକି ଓ୍ଵେବସାଇଟ୍ରେ ମିଳିବ କୋଭିଡ ରିପୋର୍ଟ
ଭୁବନେଶ୍ୱର : ଏଣିକି ଓ୍ଵେବସାଇଟ୍ରେ ମିଳିବ କୋଭିଡ ରିପୋର୍ଟ। ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି। କୋଭିଡ-୧୯ ପରୀକ୍ଷା; ଯଥା ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ କେବଳ ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା ଏସଆରଏଫ ଆଇଡି ଦାଖଲ କରି ନିଜର ନମୁନା ପରୀକ୍ଷା ଫଳାଫଳ ଜାଣିପାରିବେ । ଏହାସହ ଆବଶ୍ୟକସ୍ଥଳେ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ। ସ୍ୱାସ୍ଥ୍ୟ ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ଏହି ଅଭିନବ ବ୍ୟବସ୍ଥା ଦ୍ୱାରା ଲୋକମାନଙ୍କୁ ରିପୋର୍ଟ ସଂଗ୍ରହ କରିବା ପାଇଁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ। ତା ସହିତ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ରାଜ୍ୟବାସୀଙ୍କ ମୂଲ୍ୟବାନ ଜୀବନ ସୁରକ୍ଷିତ କରିବା ପାଇଁ ଓଡ଼ିଶା ସରକାର କୋଭିଡ ପରୀକ୍ଷାଠାରୁ ଆରମ୍ଭ କରି ଚିକିତ୍ସା ପର୍ୟ୍ୟନ୍ତ ସମସ୍ତ ସେବା ମାଗଣାରେ ଯୋଗାଇ ଦେଉଛନ୍ତି। ଏଥିସହ ଆମେ କୋଭିଡ ପରୀକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଆରଟି ପିସିଆର ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରୁଛୁ। ଯେଉଁଠାରେ ଲୋକମାନଙ୍କୁ ପ୍ରତିଦିନ ସେବା ଯୋଗାଇ ଦିଆଯିବ। ଯାହା ଆମର କୋଭିଡ ମହାମାରୀ ବିରୋଧୀ ଲଢେଇରେ ଆହୁରି ଦୃଢତା ଭରିବ।”
ରାଜ୍ୟ ସରକାରଙ୍କ ଅନୁଯାୟୀ, ଉଭୟ ଆଣ୍ଟିଜେନ୍ ଓ ଆଟି ପିସିଆର ଟେଷ୍ଟ ରିପୋର୍ଟ ଓ୍ଵେବସାଇଟ୍ରେ ମିଳିବ। ନୂତନ ବ୍ୟବସ୍ଥା ନେଇ ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ଶନିବାର ସୂଚନା ଦେଇଛନ୍ତି। statedashboard.odisha.gov.in ଓ covid19odisha.gov.in ଓ୍ଵେବସାଇଟ୍ରେ ଟେଷ୍ଟ ରିପୋର୍ଟ ବ୍ୟବସ୍ଥା କରାଯାଇଛି। ଓ୍ଵେବସାଇଟ୍ ଯାଇ know your test report ଉପରେ କ୍ଲିକ୍ କରନ୍ତୁ। ଏହା ପରେ ନମୂନା ସଂଗ୍ରହ ବେଳେ ଦେଇଥିବା ନିଜ ମୋବାଇଲ ନମ୍ବର ଦିଅନ୍ତୁ। ମୋବାଇଲ ନମ୍ବର ଦେବା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ। ଓଟିପି ନମ୍ବର ସବମିଟ୍ କଲା ପରେ ଟେଷ୍ଟ ରିପୋର୍ଟ ସାଇଟ୍ରେ ଆସିଯିବ। ଲ୍ୟାବ୍ରୁ ଗହଳି କମାଇବାକୁ ସ୍ଵାସ୍ଥ୍ୟ ଓ ଆଇଟି ବିଭାଗ ଏମିତି ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ଏକ ନିଷ୍ପତ୍ତି କ୍ରମେ ବୟସ୍କଙ୍କ ଭଳି ଭିନ୍ନକ୍ଷମକୁ ମଧ୍ୟ ମିଳିବ ଡୋର ସର୍ଭିସ ସୁବିଧା। ଏହି ସୁବିଧା ଭୁବନେଶ୍ଵର ସହରରେ ମିଳିବ ବୋଲି ବିଏମସି କମିଶନର ସଞ୍ଜୟ ସିଂହ କହିଛନ୍ତି। ପୂର୍ବରୁ କେବଳ ବୟସ୍କ ଲୋକଙ୍କ ଘରକୁ ଯାଇ ନମୂନା ସଂଗ୍ରହ କରାଯାଉଥିଲା। ଏପରିକି ବୟସ୍କ ଲୋକଙ୍କୁ ଟିକାକରଣ କେନ୍ଦ୍ରକୁ ନେଇ ଟିକା ଦେବା ପରେ ଘରେ ଛାଡି ଦିଆଯାଉଥିଲା। ସେହି ପରି ଆସନ୍ତାକାଲିଠୁ ଚାଲିବାକୁ ସଂପୂର୍ଣ୍ଣ ଅକ୍ଷମ ଭିନ୍ନକ୍ଷମଙ୍କୁ ଏହି ସୁବିଧା ମିଳିବ ବୋଲି କମିଶନର ସଞ୍ଜୟ ସିଂହ କହିଛନ୍ତି।