କୋଭିଡ୍ ସୂଚନା ଓ ସଚେତନତା ଅଭିଯାନକୁ ଅଧିକ ପ୍ରତିଷେଧାତ୍ମକ ଓ ସେବାଭିତିକ କର : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ପରିବର୍ତିତ କୋଭିଡ୍ ସ୍ଥିତିରେ ସୂଚନା ଓ ସଚେତନତା ଅଭିଯାନକୁ ଅଧିକ ପ୍ରତିଷେଧାତ୍ମକ ଏବଂ ସେବାଭିତିକ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ରାଜ୍ୟରେ ଚାଲିଥିବା କୋଭିଡ୍ ବିରୋଧି ସଚେତନତା ଅଭିଯାନର ସମୀକ୍ଷାକରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।
ମଙ୍ଗଳବାର ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ ରେଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କୋଭିଡ୍ ସଚେତନତା ଅଭିଯାନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ବିଭିନ୍ନ ସ୍ତରରେ କରାଯାଉଥିବା ସଚେତନତା ଅଭିଯାନର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ବର୍ତମାନ ସ୍ଥିତିରେ ପ୍ରତିଷେଧାତ୍ମକ ଏବଂ ସେବା ଉପଲବ୍ଧି ସମ୍ବନ୍ଧିତ ସୂଚନା ପ୍ରସାରଣ କୋଭିଡ୍ ପରିଚାଳନା ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଅଧିକ ସଂଖ୍ୟକ କୋଭିଡ୍ ସଂକ୍ରମିତ ବ୍ୟକ୍ତି ଘରୋଇ ପୃଥକବାସରେ ରହି ଚିକିତ୍ସିତ ହେଉଥିବାରୁ ସେମାନଙ୍କ ପାଇଁ ସେବା ସମ୍ବନ୍ଧିତ ସୂଚନା ବିଶେଷ ସହାୟକ ହେବ । ପୃଥକବାସର ବ୍ୟବହାରିକ ଢ଼ଙ୍ଗ, ଦୈନିକ ଯତ୍ନ, ଅମ୍ଳଜାନସ୍ତର ଯାଂଚ୍, ବୟସ୍କ ବ୍ୟକ୍ତି ଓ ଗର୍ଭବତୀ ମହିଳା ମାନଙ୍କର ଯତ୍ନ, କେଉଁ ଟେଲିଫୋନ ନମ୍ବର ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ମିଳିପାରିବ, କି କି ସତର୍କତା ଅବଲମ୍ବନ କରାଯିବା ଦରକାର, ଜରୁରୀକାଳିନ ସ୍ଥିତିରେ କାହା ସହିତ ଓ କେମିତି ଯୋଗାଯୋଗ କରିବେ, ଦରକାର ସମୟରେ କେମିତି ଆମ୍ବୁଲାନ୍ସ୍ ସେବା ପାଇବେ ଓ ହସ୍-ପିଟାଲ୍ ଯାଇପାରିବେ ଆଦି ସମସ୍ତ ବିଷୟ ସୂଚନା ଓ ସଚେତନତା ଅଭିଯାନରେ ସନ୍ନିବଶିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ପ୍ରତି ଜିଲ୍ଲା ଏବଂ ସହରାଂଚଳର କୋଭିଡ୍ ନିୟନ୍ତ୍ରଣ କକ୍ଷ, ଟେଲି ମେଡିସିନ୍ ଏବଂ ତୁରନ୍ତ ସହାୟକ ଦଳମାନଙ୍କର ଟେଲିଫୋନ୍ ନମ୍ବର ମଧ୍ୟ ସୂଚନା ଓ ସଚେତନତା ବାର୍ତାରେ ସନ୍ନିବେଶିତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ଆରଆର.ଟି ନିଜ ନିଜ ଦାୟିତ୍ୱ ଥିବା ବିଭିନ୍ନ ଅଂଚଳର ରୋଗୀମାନଙ୍କୁ ସାମିଲ୍କରି ଏକାଧିକ ହ୍ୱାଟ୍ସ୍ଆପ୍ ଗୃପ୍ ଖୋଲିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହା ମାଧ୍ୟମରେ ଘରୋଇ ପୃଥକବାସରେ ଥିବା ସଂକ୍ରମିତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟସ୍ଥିତି ଓ ଆବଶ୍ୟକତା ବିଷୟରେ ଆର.ଆରଟି ମାନେ ତୁରନ୍ତ ଜାଣି ପାରିବେ । ଏହିସବୁ ସୂଚନା ଘରୋଇ ପୃଥକବାସରେ ଥିବା ଲୋକମାନଙ୍କୁ ଅଧିକ ଆତ୍ମ ବିଶ୍ୱାଶ ଓ ଭରଷା ଦେବ ଯାହାକି ପ୍ରକାରାନ୍ତରେ ଶିଘ୍ର ଆରୋଗ୍ୟଲାଭରେ ସହାୟକ ହେବ ବୋଲି ସେ କହିଥିଲେ ।
ବୈଠକରେ ଖବରକାଗଜ, ଟେଲିଭିଜନ୍, ସାମାଜିକ ଗଣମାଧ୍ୟମ ଆଦି ଜରିଆରେ କରାଯାଇଥିବା ବିଭିନ୍ନ ପ୍ରକାର ସଚେତନତା ଅଭିଯାନର ସମୀକ୍ଷା କରାଯାଇଥିଲା । ବର୍ତମାନ ପ୍ରାୟ ୧୨ ପ୍ରକାରର ସଚେତନତା ବାର୍ତା, ୮ ପ୍ରକାରର ମେସେଜ୍, ବହୁବିଧ ଦୃଶ୍ୟ ଓ ଶ୍ରାବ୍ୟ ବାର୍ତା, ପରାମର୍ଶ ଆଦି ଦିଆଯାଉଛି । ଜନସାଧାରଣଙ୍କୁ ମଧ୍ୟ ଏସ୍.ଏମ୍.ଏସ୍ ମାଧ୍ୟମରେ ସୂଚନା ପଠାଯାଉଛି । ଏହାଛଡ଼ା ଜିଲ୍ଲା ସ୍ତରରେ ୫୫ଟି, ବ୍ଲକ୍ ସ୍ତରରେ ୭୦୬ଟି, ସହରାଂଚଳ ସ୍ତରରେ ୫୬ଟି ଏବଂ ପୌରନିଗମ ସ୍ତରରେ ୬୫ଟି ଏପରି ସମୁଦାୟ ୮୬୫ଟି ଆରଆରଟି. ଦଳ ନିଜ ନିଜ ସ୍ତରରେ ଚିକିତ୍ସା ଓ ସଚେତନତା ସୂଚନା ଦେଉଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସୂଚନା ଓ ଲୋକ ସଂପର୍କ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର, ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।