କୋଭାକ୍ସିନ୍ ବୁଷ୍ଟର୍ ଡୋଜ ସମସ୍ତ କୋଭିଡ ଭ୍ୟାରିଏଣ୍ଟ ବିରୋଧରେ ଆଣ୍ଟିବଡି ସୃଷ୍ଟି କରିବାରେ ସକ୍ଷମ
ହାଇଦ୍ରାବାଦ : ଭାରତରେ ଓମିକ୍ରନ ଆସିବା ପରେ ସଂକ୍ରମଣ ପୁଣି ଉପର ମୁହାଁ ହୋଇଯାଇଛି । ମାତ୍ର କିଛି ଦିନ ଭିତରେ ଦୈନିକ ସଂକ୍ରମଣ ୧ ଲକ୍ଷ ଟପିଯାଇଛି । ଏହାର ମୁକାବିଲା ପାଇଁ ଲୋକମାନଙ୍କୁ ବୁଷ୍ଟର ଡୋଜ କରୋନା ଟିକା ଦେବାକୁ ଯୋଜନା ଚାଲିଛି । ଏହି ପରିସ୍ଥିତି ମଧ୍ୟରେ ଭାରତ ବାୟୋଟେକ ପକ୍ଷରୁ ନିଜର କରୋନା ଟିକା କୋଭାକ୍ସିନର ବୁଷ୍ଟର ଡୋଜ ପାଇଁ କରାଯାଇଥିବା କ୍ଲିନିକାଲ ପରୀକ୍ଷଣରେ କେତେକ ଆଶାଜନକ ରିପୋର୍ଟ ଆସିଛି । ଏହି ପରୀକ୍ଷଣରୁ ଜଣାପଡ଼ିଛି ଯେ ଏହା ଦୀର୍ଘ ସମୟ ପାଇଁ ନିରାପଦ ଓ ଏହାର ସେଭଳି କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । କ୍ଲିନିକାଲ ପରୀକ୍ଷଣରେ ଭାଗ ନେଇଥିବା ୯୦ ପ୍ରତିଶତ ଲୋକଙ୍କ ଶରୀରରେ ଏହା ଦୀର୍ଘ ସମୟ ପାଇଁ ଆଂଟିବଡି ସୃଷ୍ଟି କରୁଥିବା ପ୍ରମାଣିତ ହୋଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ୧୫-୧୯ ବର୍ଷ ବୟସ ବର୍ଗରର ପିଲାମାନଙ୍କୁ କେବଳ କୋଭାକ୍ସିନ ଦେବାକୁ କମ୍ପାନି ପକ୍ଷରୁ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପରାମର୍ଶ ଦିଆଯାଇଛି ।
ଭାରତ ବାୟୋଟେକ୍ ଘୋଷଣା କରିଛି ଯେ କୋଭାକ୍ସିନର ତୃତୀୟ ତଥା ପୂର୍ବରୁ ଦୁଇ ଡୋଜ ଏବଂ ପରେ ଗୋଟିଏ ବୁଷ୍ଟର ଡୋଜ ଗ୍ରହଣ କଲା ପରେ SARS-CoV-2 ର ସମସ୍ତ ଭ୍ୟାରିଏଣ୍ଟ ବିରୋଧରେ ୧୯ ରୁ ୨୬୫ ଗୁଣ ରୋଗ ପ୍ରତିରୋଧୀ ଶକ୍ତି ବୃଦ୍ଧି କରିଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ସେହିପରି ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଏହା ସମ୍ପର୍କରେ ଭରତ ବାୟୋଟେକର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଡ.କୃିଷ୍ଣା ଇଲା କହିଛନ୍ତି, ଏହି ପରୀକ୍ଷଣରେ ଆମେ ସଫଳ ହୋଇଛୁ । କୋଭାକ୍ସିନକୁ ଏକ ବୁଷ୍ଟର ଡୋଜ ଭାବରେ ଯୋଗାଇବା ଆମର ଲକ୍ଷ୍ୟ ଦିଗରେ ଏହା ଏକ ବଡ ସଫଳତା । କୋଭିଡ-୧୯ ବିରୋଧି ଲଢେଇରେ ବିଶ୍ବ ସ୍ତରୀୟ ଟିକା ବିକାଶିତ କରିବା ଦିଗରେ ଆମେ ସଫଳତାର ସହ ଆଗକୁ ବଢୁଛୁ ବୋଲି କହିଛନ୍ତି ସଂସ୍ଥା ମୁଖ୍ୟ ।