୧୯ରୁ ନିଟ୍-ୟୁଜି ପାଇଁ କାଉନସେଲିଂ, ଛାତ୍ରଛାତ୍ରୀଙ୍କୁ ଶୁୁଭେଚ୍ଛା ଜଣାଇଲେ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ନିଟ୍-ୟୁଜି ପାଇଁ କାଉନସିଲିଂ ପ୍ରକ୍ରିୟା । ଆଜି ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟ୍ବିଟ କରି ସୂଚନା ଦେଇଛନ୍ତି । ଏଥିରେ ଅଂଶଗ୍ରହଣ କରିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ଏହି ତାରିଖ ଘୋଷଣା ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମେଡିକାଲ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆହୁରି ମଧ୍ୟ କହିଛନ୍ତି, ଆପଣ ସମସ୍ତେ ଦେଶର ଭବିଷ୍ୟତ ଏବଂ ମୁଁ ଆଶା କରୁଛି ଯେ ‘ସେବା ହେଉଛି ଧର୍ମ’ ମନ୍ତ୍ର ସହିତ ଆପଣ ସମସ୍ତେ ନିଜ କ୍ୟାରିଅରକୁ ଏକ ନୂତନ ଦିଗ ଦେବେ । ମୁଁ ସମସ୍ତଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭ୍ୟ ।
ମେଡିକାଲ କଲେଜ କାଉନସେଲିଂ କମିଟି ଦ୍ୱାରା ସ୍ନାତକ ମେଡିକାଲ ପାଠ୍ୟକ୍ରମରେ ପ୍ରବେଶ ପାଇଁ କାଉନସେଲିଂ କରାଯିବ । ନିଟ୍ ୟୁଜି କାଉନସେଲିଂ ପାଇଁ ଦୀର୍ଘ ଦିନରୁ ଦାବି ହୋଇଥିଲା ଏବଂ ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା । ଡାକ୍ତରୀ ସଂଘ ଗୁଡିକ ମଧ୍ୟ ବିଳମ୍ୱରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କାଉନସେଲିଂରେ ବିଳମ୍ୱ ଯୋଗୁଁ ଛାତ୍ରଛାତ୍ରୀଙ୍କ ସହ ଡାକ୍ତୀର ସଂଘ FORDA ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଥିଲା । ତେବେ ନିକଟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସବୁ ବାଧା ଦୂର ହୋଇଥିଲା । ଏହାପରେ ନିଟ୍ ପିଜି ପାଇଁ କାଉନସେଲିଂ ଜାନୁଆରୀ ୧୨ରୁ ଆରମ୍ଭ ହେବା ନେଇ ଘୋଷଣା କରାଯାଇଥିଲା । ଆସନ୍ତା ଜାନୁଆରୀ ୧୯ରୁ ନିଟ୍ ୟୁଜିର କାଉନସେଲିଂ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆଜି ଘୋଷଣା କରିଛନ୍ତି । ସୂଚନା ଯେ, ନିଟ୍ ୟୁଜି ୨୦୨୧ର ଫଳାଫଳ ନଭେମ୍ୱର ୧, ୨୦୨୧ରେ ପ୍ରକାଶ ପାଇଥିଲା ଏବଂ ଏଥିରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଗତ ଦୁଇ ମାସ ଧରି ମେଡିକାଲ କଲେଜରେ ନାମ ଲେଖାଇବା ପାଇଁକାଉନସେଲିଂ ପ୍ରକ୍ରିୟାର ଆରମ୍ଭକୁ ଅପେକ୍ଷା କରିଥିଲେ।