କରୋନା ସଂକ୍ରମଣ : ବ୍ରାଜିଲକୁ ପଛରେ ପକାଇ ଭାରତ
ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ଵିତୀୟ ଲହରୀ ବିସ୍ଫୋରକ ସାଜିଛି । ଦେଶରେ ଜାରି ରହିଥିବା ଦ୍ଵିତୀୟ କୋଭିଡ୍ ଲହରର ସଂକ୍ରମଣ ବୃଦ୍ଧି କ୍ରମରେ ଭାରତ ବ୍ରାଜିଲକୁ ଟପି ବିଶ୍ୱର ଦ୍ଵିତୀୟ ସର୍ବାଧିକ କୋଭିଡ୍ ପ୍ରଭାବିତ ରାଷ୍ଟ୍ର ହୋଇଛି । ଦେଶରେ ସଂକ୍ରମିତ ଲୋକଙ୍କ ସ୍ୱାସ୍ଥ୍ୟ ହେବା ଦର ୯୦ ପ୍ରତିଶତରୁ କମ ହୋଇଛି । ଆମେରିକାର ଜନ ହାପିକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁସାରେ ସଂକ୍ରମିତ ଲୋକଙ୍କ ସଂଖ୍ୟାରେ ବ୍ରାଜିଲକୁ ପଛରେ ପକାଇ ଭାରତ ଆଗରେ ରହିଛି ।
କୋଭିଡ୍ କ୍ଷତିଗ୍ରସ୍ତ ଦେଶର ଶୀର୍ଷରେ ରହିଥିବା ଆମେରିକାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୧,୯୭,୫୧୧ ହୋଇଥିବା ବେଳେ ବ୍ରାଜିଲ୍ର ୧,୩୪,୮୨,୦୨୩ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଭାରତରେ ସମ୍ପ୍ରତି ୧୨,୦୧,୦୦୯ଟି ସକ୍ରିୟ ମାମଲା ଥିବା ବେଳେ ମୋଟ ୧,୨୧,୫୬,୫୨୯ ଜଣ ଆକ୍ରାନ୍ତ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାରୁ ଜଣାଯାଇଛି। ଅପରପକ୍ଷେ, ଏହି ୨୪ ଘଣ୍ଟା ଭିତରେ ୯୦୪ ଜଣଙ୍କର କୋଭିଡ୍ରେ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୧,୭୦,୧୭୯ ହୋଇଛି। ତେବେ ମୋଟ ଆକ୍ରାନ୍ତଙ୍କ ତୁଳନାରେ ସକ୍ରିୟ ମାମଲା ୮.୮୮ ପ୍ରତିଶତକୁ ବଢ଼ିଥିବା ବେଳେ ଆରୋଗ୍ୟଲାଭ ହାର ୮୯.୮୬ ପ୍ରତିଶତକୁ ଖସି ଆସିବା ଚିନ୍ତାର ବିଷୟ ହୋଇଛି।