ଭୁବନେଶ୍ୱର ଡିସିପି ଅଫିସରେ କରୋନା ପଜିଟିଭ : ସିଲ କଲା ବିଏମସି
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ବାଣୀବିହାରସ୍ଥିତ ଡିସିପି ଅଫିସରେ ଏକାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛି । ଅଫିସ କର୍ମଚାରୀଙ୍କ କରୋନା ପଜିଟିଭ ଥିବା ଜଣାପଡ଼ିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଡିସିପି ଅଫିସକୁ ସିଲ୍ କରିଛି । ଦୁଇ ଦିନ ପାଇଁ ଏହି ଅଫିସକୁ ସିଲ୍ କରାଯାଇଥିବା ନେଇ ବିଏମସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନର ସୂଚନା ଦେଇଛନ୍ତି ।
ଡିସିପି କାର୍ଯ୍ୟାଳୟର ପ୍ରାୟ ୧୦ରୁ ଅଧିକ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ଏବେ ବାହାରୁ ଅନ୍ୟମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ଏଥିସହ ଭିତରେ ଯେଉଁ କର୍ମଚାରୀ ଭିତରେ ଅଛନ୍ତି ସମସ୍ତଙ୍କ ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ସେମାନଙ୍କୁ ମଧ୍ୟ ବାହାରକୁ ଯିବାକୁ ଅନୁମତି ଦିଆଯାଇ ନଥିବା ଯୋଗୁ ବିଏମସିର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେମାନଙ୍କୁ କାର୍ଯ୍ୟାଳୟ ଭିତରେ ହିଁ ରହିବାକୁ କୁହାଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସମେତ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨୬୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଏଯାଏ ରାଜ୍ୟରେ ୩୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ତେବେ ରାଜ୍ୟରେ ପୁଣି କରୋନା ବ୍ୟାପିବା ନେଇ ପ୍ରଶାସନ ଓ ସରକାରଙ୍କ ମୁଣ୍ଡବିନ୍ଧା ବଢ଼ିଯାଇଛି । ତେଣେୁ ଆଜି ଅପରାହ୍ଣ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ସମୀକ୍ଷା କରିବେ । ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପୁଲିସ୍ ବିଭାଗ ସମେତ ଅନ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ତୃତୀୟ ଲହରର ମୁକାବିଲା ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇପାରେ ବୋଲି ଆଲୋଚନା ହେଉଛି ।