କରୋନା ଶେଷ ହୋଇନି, ସତର୍କ ରୁହନ୍ତୁ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି । ଏହାକୁ କେନ୍ଦ୍ର କରି ହଙ୍ଗାମା ଜାରି ରହିଥିବାବେଳେ ମଣ୍ଡଭୀୟ ଏକ ଟ୍ୱିଟ କରିଛନ୍ତି। ଏଥିରେ ମାଣ୍ଡଭୀୟ କରୋନାକୁ ନେଇ ଅଧିକାରୀ ଓ ବିଶେଷଜ୍ଞଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଥିବା କଥା ଉଲ୍ଲେଖ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁନିଆର ଅନେକ ଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଆଜି ଏକ ସମୀକ୍ଷା ବୈଠକ କରାଯାଇଥିଲା । କରୋନା ଏବେ ଶେଷ ହୋଇନଥିବାରୁ ସତର୍କ ରହିବା ସହ ଯାଞ୍ଚ ବଢ଼ାଇବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆମେ ସବୁ ସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛୁ । ସୂଚନା ଯେ, ଭାରତ ଯୋଡ଼ୋ ଯାତ୍ରାରେ କରୋନା ନିୟମ ପାଳନ କରାଯାଉନଥିବାରୁ ଏହାକୁ ରୋକିବା ଉପରେ ବିଚାର କରିବା ପାଇଁ ରାହୁଲଙ୍କୁ ମାଣ୍ଡଭୀୟ ଚିଠି ଲେଖିଛନ୍ତି ।