କରୋନା ଗାଇଡଲାଇନ ଜାରି : ପାର୍ବଣ ଋତୁରେ ବିଶେଷ ସତର୍କତା ଅବଲମ୍ବନ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ
ନୂଆଦିଲ୍ଲୀ : ସମ୍ଭାବ୍ୟ ମହାମାରୀ କରୋନାର ତୃତୀୟ ଲହାରକୁ ନଜରରେ ରଖି ଦେଶରେ ପାର୍ବଣ ଋତୁ ଆସୁଥିବାରୁ କେନ୍ଦ୍ର ସରକାର ପକ୍ଷରୁ କରୋନା କଟକଣାକୁ ଆଉ ମାସେ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଏହା ସହିତ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗୁ କଟକଣାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଏନେଇ ମଙ୍ଗଳବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ଯେ ଆଗକୁ ବିଭିନ୍ନ ପର୍ବପର୍ବାଣୀ ଥିବାରୁ ଲୋକମାନେ କୋଭିଡ କଟକଣାକୁ ନ ମାନିବାର ସମ୍ଭାବନା ରହିଛି । ମେଳା, ମହୋତ୍ସବ ସମୟରେ ଅଧିକ ଜନଗହଳି ହେଲେ ତାହା ଦେଶରେ ପୁଣି କରୋନା ସଂକ୍ରମଣ ବଢାଇବାର ଆଶଙ୍କା ରହିଛି । ଏଣୁ ପାର୍ବଣ ସମୟରେ ଯେପରି ଅଧିକ ଜନଗହଳି ନହୁଏ, ଲୋକମାନେ କୋଭିଡ ନିୟମାବଳୀ ପାଳନ କରନ୍ତି ତାହା ନିଶ୍ଚିତ କରିବାକୁ ପଡ଼ିବ । ଅନ୍ୟପକ୍ଷରେ ଏହି ଗାଇଡଲାଇନରେ କୁହାଯାଇଛି ଯେ, ରାଜ୍ୟ ସରକାରମାନେ କରୋନା ପଜିଟିଭିଟି ହାର, ପ୍ରତି ଜିଲ୍ଲାରେ ଥିବା ହସପିଟାଲଗୁଡ଼ିକର ଶଯ୍ୟା ଓ ଆଇସିୟୁରେ କେତେକ ରୋଗୀ ରହୁଛନ୍ତି ଉପରେ ତୀକ୍ଷଣ ଦୃଷ୍ଟି ରଖନ୍ତୁ । କୌଣସି ସ୍ଥାନରେ ସଂକ୍ରମଣ ବଢିଲେ ପ୍ରଶାସନ ପକ୍ଷରୁ ଅବିଳମ୍ବେ କଣ୍ଟେନମେଣ୍ଟ ପଦକ୍ଷେପ ନିଆଯିବା ଉଚିତ । ଏହା ସହିତ ରାଜ୍ୟମାନେ କରୋନା ମୁକାବିଲା ପାଇଁ ପରୀକ୍ଷା, ତଦାରଖ, ଚିକିତ୍ସା, ଟୀକାକରଣ ଓ କୋଭିଡ ନିୟମାବଳୀ ପାଳନ ଉପରେ ଗୁରୁତ୍ବ ଦିଅନ୍ତୁ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।