‘କୋର୍ବେଭ୍ୟାକ୍ସ’କୁ ଅନୁମତି! ଖୁବଶୀଘ୍ର ୧୨-୧୮ ବର୍ଷ ବୟସସ୍କାଙ୍କୁ ଦିଆଯିବ ଟିକା
ଜରୁରୀ ବ୍ୟବହାର ପାଇଁ ସୁପାରିସ କଲା ସରକାରୀ କମିଟି
ନୂଆଦିଲ୍ଲୀ: କୋଭିଡ୍-୧୯ ଉପରେ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି (ଏସ୍ଇସି) ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ବାୟୋଲୋଜିକାଲ-ଇ’ର ଟିକା ‘କୋର୍ବେଭ୍ୟାକ୍ସ’ର ଜରୁରୀ ବ୍ୟବହାରକୁ ଅନୁମତି ଦେବା ପାଇଁ ସୁପାରିସ କରିଛି । ଫଳରେ ଖୁବ୍ ଶୀଘ୍ର ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଟିକାକରଣ କରାଯାଇପାରେ । ଆସନ୍ତା କିଛି ସପ୍ତାହ ମଧ୍ୟରେ ଡିସିଜିଆଇ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିପାରେ । ଏହାରି ଭିତରେ ଆଜି କେନ୍ଦ୍ର ସରକାର ଗ୍ରହଣ କରିବେ କୋର୍ବେଭାକ୍ସର ୩ କୋଟି ଡୋଜ୍ । ବାୟୋଲୋଜିକାଲ ଇ ଦ୍ୱାରା ପ୍ରସ୍ତୁତ ୫ କୋଟି କୋର୍ବେଭାକ୍ସ ଟିକାର ଅର୍ଡର କରିଛନ୍ତି କେନ୍ଦ୍ର ସରକାର ।
ଏହି ଟିକାର ଦୁଇଟି ଡୋଜ ରହିଥିବା ବେଳେ ୨୮ ଦିନ ବ୍ୟବଧାନରେ ଦ୍ୱତୀୟ ଟିକା ଦିଆଯିବ ବୋଲି ସୂଚନା ମିଳିଛି । ଗୋଟିଏ ଡୋଜ ଟିକାକୁ ୧୪୫ ଟଙ୍କା ପଡୁଥିବା ବେଳେ ଜୁନ ୨୦୨୧ରେ ଭାରତ ୧୫ ଶହ କୋଟି ଟଙ୍କାରେ ଟିକା ପାଇଁ ଅର୍ଡର କରିଥିଲ । ଏହି ଟିକା ଫେବୃୃଆରୀ ଶେଷ ସୁଦ୍ଧା ଆସିବ ବୋଲି ସୂଚନା ମିଳିଛି । ଟିକାକରଣକୁ ଅଧିକ ବ୍ୟାପକ କରିବ ପାଇଁ ୧୫ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏବେ ୧୫ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ କରୋନା ଟିକା ଦିଆଯାଉଛି ।
ଜଣେ ଅଧିକାରୀ କହିଛନ୍ତି ଯେ ୧୫ ବର୍ଷରୁ କମ୍ ପିଲାମାନଙ୍କୁ ଟିକାକରଣ ପାଇଁ ସରକାର ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି। ନିକଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭି.କେ ପଲ୍ କହିଥିଲେ ଯେ ଟିକାକରଣର ଅତିରିକ୍ତ ଆବଶ୍ୟକତା ଏବଂ ଏଥିପାଇଁ ଅଧିକ ଜନସଂଖ୍ୟାକୁ ଟିକାକରଣର ପରିସରଭୁକ୍ତ କରିବା ନେଇ ନିୟମିତ ସମୀକ୍ଷା କରାଯାଏ। ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ (ଡିସିଜିଆଇ) ଡିସେମ୍ବର ୨୮ରେ ହିଁ ‘କୋର୍ବେଭ୍ୟାକ୍ସ’ର ସୀମିତ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇସାରିଛି । ଭାରତରେ ବିକଶିତ ଏହା ଏକ ଆରବିଡି ଆଧାରିତ କୋଭିଡ-୧୯ ଟିକା । ତେବେ ଏହି ଟିକା ଦେଶର ଟିକାକରଣ ଅଭିଯାନରେ ସାମିଲ କରାଯାଇ ନାହିଁ। ଅଧିକାରୀ ଜଣକ କହିଛନ୍ତି ଯେ , “କୋଭିଡ-୧୯ ଉପରେ ବିଶେଷଜ୍ଞ କମିଟି (ଏସ୍ଇସି) ଆବେଦନ ଉପରେ ଆଲୋଚନା କରିଥିଲା ଏବଂ କିଛି ସର୍ତ୍ତ ସହିତ ୧୨ ରୁ ୧୮ ବର୍ଷ ବୟସ ପିଲାଙ୍କ ପାଇଁ ବାୟୋଲୋଜିକାଲ୍-ଇ’ର ‘କୋର୍ବେଭ୍ୟାକ୍ସ’ ଟିକାର ଜରୁରୀ ବ୍ୟବହାରର କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ସୁପାରିସକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ଡିସିଜିଆଇକୁ ପଠାଯାଇଛି ।
ସୂଚନା ଯେ, ଫେବୃଆରୀ ୯ରେ ଡିସିଜିଆଇକୁ ପଠାଯାଇଥିବା ଏକ ଆବେଦନରେ ବାୟୋଲୋଜିକାଲ-ଇ’ ଗୁଣବତ୍ତା ଏବଂ ନିୟାମକ ବ୍ୟାପାରର ମୁଖ୍ୟ ଶ୍ରୀନିବାସ କୋସାରାଜୁ କହିଥିଲେ ଯେ କମ୍ପାନୀକୁ ୫ ରୁ ୧୮ ବର୍ଷ ବୟସ ବର୍ଗର ପିଲାମାନଙ୍କ ଠାରେ କୋର୍ବେଭ୍ୟାକ୍ସର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଗତ ବର୍ଷ ସେପ୍ଟେମ୍ବରରେ ଅନୁମତି ମିଳିଥିଲା । କୋର୍ବେଭ୍ୟାକ୍ସ ଟିକାକୁ ୨୮ ଦିନ ମଧ୍ୟରେ ଦୁଇଟି ଡୋଜରେ ନେବାକୁ ପଡିବ । ଏହି ଟିକା ୨ ରୁ ୮ ଡିଗ୍ରୀ ସେଲସିୟସରେ ସଂରକ୍ଷିତ ରଖିହେବ ।