ଜିଲା ସ୍ତରୀୟ ଶିଶୁ ସୁରକ୍ଷା ସେବା ପ୍ରଦାନକାରୀ ବିଭାଗର ସମନ୍ୱୟ ବୈଠକ
ବାଲେଶ୍ୱର : ବାଲେଶ୍ୱର ସହର ଟେକ୍ନିକାଲ ପଡ଼ିଆ ସ୍ଥିତ ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ଏନଏସିଜି ଈଭାକ, ପିକକ ଓ ୱାର୍ଲଡ଼ ଭିଜନର ମିଳିତ ଆୟୋଜନରେ ଜିଲାସ୍ତରୀୟ ଶିଶୁ ସୁରକ୍ଷା ସେବା ପ୍ରଦାନକାରୀ ବିଭାଗର ସମନ୍ୱୟ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।
ସାମାଜିକ କର୍ମୀ ଉବାଚକ ମହାନ୍ତି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଯୋଗଦେଇ ଗ୍ରାମ୍ୟସ୍ତରୀୟ ଶିଶୁ ସୁରକ୍ଷା ସମତି ଓ ସ୍ୱୟଂ ସହାୟକ ଗୋଷ୍ଠୀର ମିଳିତ ସହଯୋଗରେ ଶିଶୁ ଅଧିକାର ପାଇବା ସହିତ ସୁରକ୍ଷିତ ରହିବ ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଯୋଗଦେଇ ସମସ୍ତ ବିଭାଗର ସମନ୍ୱୟର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲାରେ କାର୍ଯ୍ୟକାରୀ ହେଉଥିବା ମିଶନ ବାତ୍ସଲ୍ୟ ଯୋଜନା ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ ସୂଚନା ଦେଇଥିଲେ । ଜିଲା ମୁଖ୍ୟ ଚିକିତ୍ସାଧୀକାରୀ ଡା. ଦୁଲାଲ ସେନ ଜଗଦ୍ଦେବ, ଜିଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଭାଗିରଥି ବାରିକ ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା ସମ୍ପର୍କିତ ଯୋଜନା ଓ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ । ସଭାରେ ସମନ୍ୱିତ ଶିଶୁ ବିକାଶ ଯୋଜନା, ଶିକ୍ଷା, ସ୍ୱାସ୍ଥ୍ୟ, ଚାଇଲଡ଼ ଲାଇନ ଓ ସ୍ୱେଛାସେବୀ ଅନୁଷ୍ଠାନର ସଦସ୍ୟାମାନେ ଅଂଶ ଗ୍ରହଣ କରିଥିଲେ ।