ଭାରସାମ୍ୟ ହରାଇ ଓଲଟିଲା କଣ୍ଟେନର, ୨୦ରୁ ଉର୍ଦ୍ଧ୍ଵ ଗୋରୁ ମୃତ
ଭୋଗରାଇ: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ୫୭ନଂ ରାଜ୍ୟ ରାଜପଥ ମହାନ୍ତି ଛକ ନିକଟରେ ଗୋରୁ ଗାଡି ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ଗୋରୁ ବୋଝେଇ କଣ୍ଟେନର ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ୨୦ରୁ ଉର୍ଦ୍ଧ୍ଵ ଗୋରୁଙ୍କର ପ୍ରାଣହାନି ଘଟିଥିବାର ଜଣାପଡ଼ିଛି।
ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ସୋମବାର ଭୋର ପ୍ରାୟ ୩ଟା ବେଳେ ମହାନ୍ତି ଛକରେ କୌଣସି କାରଣରୁ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା। ଏହି ଗୋରୁ ବୋଝେଇ କଣ୍ଟେନରରେ ୨୦୦ ରୁ ଉର୍ଦ୍ଧ୍ଵ ଗୋରୁ ଥିଲେ । ଦୁର୍ଘଟଣାରେ ଗାଡ଼ିରେ ଥିବା ୨୦ରୁ ଉର୍ଦ୍ଧ୍ଵ ଗୋରୁ ମରି ଯାଇଛନ୍ତି। ଟ୍ରକ୍ ଡ୍ରାଇଭର ଓ ଏସକର୍ଟ ଟିମ୍ ଅନ୍ୟ ଗୋରୁଙ୍କୁ ନେଇ ଚାଲିଯିବା ଲାଗି ଗାଡ଼ିଟି ଉଠାଇବା ଲାଗି ଚେଷ୍ଟା କରୁଥିଲେ। ଗାଡ଼ି ଚାଳକକୁ ତାଳସାରୀ ମେରାଇନ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ତେବେ ଗାଡ଼ି ସହ ଆସୁଥିବା ଏସକର୍ଟ ଟିମ୍ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଯେ, ଜାତୀୟ ରାଜପଥରେ ଥିବା ବସ୍ତା, ଜଳେଶ୍ୱର, ଭୋଗରାଇ ଥାନା ଓ ରାଜଘାଟ ନାକା ପଏଣ୍ଟ ପାର ହୋଇ କିପରି ପଶ୍ଚିମବଙ୍ଗ ସୀମାକୁ ଗୋରୁ ଗାଡି ପହଞ୍ଚି ଦୁର୍ଘଟଣା ଘଟିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।