ଏକକୋଟି ଟୀକାକରଣ ଦାବୀରେ ରାଜ୍ୟପାଳଙ୍କୁ କଂଗ୍ରେସର ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର : ନିଶୁଳ୍କ ସାର୍ବଜନୀନ ଟୀକାକରଣ ସହ ଦୈନିକ ଭାରତୀୟ ନାଗରିକଙ୍କୁ ଏକକୋଟି ଟୀକାକରଣ ଦାବୀ କରିଛି କଂଗ୍ରେସ । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ ଭବନ ସମ୍ମୁଖରେ କୋଭିଡ ନିୟମ ଅନୁସାରେ ପ୍ଲାକାର୍ଡ଼ ଧରି ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହା ପୂର୍ବରୁ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ମହମ୍ମଦ ମୋକିମ କହିଥିଲେ ୨୫ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ୧୮-୪୪ ବର୍ଷର ଯୁବକମାନଙ୍କ ପାଇଁ ରାଜ୍ୟରେ ଟୀକା ପାଇଁ ଅର୍ଡ଼ର ଦିଆସରିଛି ବୋଲି ଯେଉଁ ଟୁଇଟ କରିଥିଲେ ତାହା ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ମାଝୀ କହିଛନ୍ତି । ୬ଦିନ ତଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ ସେଠି ମୁଖ୍ୟମନ୍ତ୍ରୀ ଟୀକାକରଣକୁ ନେଇ କିଛି କହିନଥିବା ବେଳେ ଏବେ ଚିଠି ଲେଖିବା ଏକ ନାଟକବାଜି ବୋଲି ତାତ୍ସଲ୍ୟ କରି ଶ୍ରୀ ମାଝୀ କହିଥିଲେ ।
ପ୍ରଧାନମନ୍ତ୍ରୀ ୨୦୨୧ ରେ କରୋନାକୁ ହରାଇଛୁ ବୋଲି ଯେଉଁ ଘୋଷଣା କରିଥିଲେ ତାହା ଏକ ପ୍ରତାରଣା ଥିଲା ବୋଲି ନବନିଯୁକ୍ତ ଏଆଇସିସି ସଂପାଦକ ସପ୍ତଗିରି ଉଲ୍ଲାକା କହିଥିଲେ । ପରବର୍ତୀ ସମୟରେ ଚାରୋଟି ରାଜ୍ୟ ସହ ଏକ କେନ୍ଦ୍ରଶାସିତ ରାଜ୍ୟରେ ନିର୍ବାଚନ କରାଇଲେ । ୮ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗ ନିର୍ବାଚନ କରାଇଲେ । ଫଳରେ ସମଗ୍ର ଦେଶରେ କରୋନା ଦ୍ରୁତ ଗତିରେ ବ୍ୟାପିଲା । କିଛି ରାଜ୍ୟରେ ନିର୍ବାଚନ ଥିଲା ବୋଲି ସେଠାରେ ମାଗଣାରେ ଭ୍ୟାକ୍ସିନ ଦଆଯିବ ବୋଲି ଘୋଷଣା କରି ନିର୍ବାଚନ ବୈତରଣୀ ପାରହେଲେ । କିନ୍ତୁ ଓଡ଼ିଶାରେ ନିର୍ବାଚନ ନାହିଁ ତେଣୁ ଆମକୁ ଆଉ ଭ୍ୟାକ୍ସିନ ମିଳିବ ନାହିଁ ବୋଲି ଆଶଙ୍କା ରହିଛି । କେନ୍ଦ୍ର ସରକାରଙ୍କ କୋ-ଇନ ପୋଟାଲ ମାଧ୍ୟମରେ ଆଦିବାସୀ ଅଂଚଳରେ ଭ୍ୟାକ୍ସିନ ପାଇବାପାଇଁ ରେଜିଷ୍ଟ୍ରେସନ କରିବା ସମ୍ଭବ ନୁହେଁ । ତେଣୁ ସେହି ଅଂଚଳକୁ କୋଇନ ପୋଟାଲରୁ ବାଦ ଦିଅନ୍ତୁ ବୋଲି ତାଙ୍କ ବକ୍ତବ୍ୟରେ ଶ୍ରୀ ଉଲ୍ଲାକା କହିଥିଲେ ।
ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ ଟୀକାକରଣକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି କୋଭିଡ ନିୟନ୍ତ୍ରଣ କରିବାରେ ସରକାର ସଂପୂର୍ଣ୍ଣ ବିଫଳ । ତେଣୁ ଲୋକଙ୍କ ଜୀବନକୁ ବଂଚାଇବା ପାଇଁ ଶୀଘ୍ର ଘର ଘର ବୁଲି ଟେଷ୍ଟିଂ କରି ନିଶୁଳ୍କ ଟୀକା ଦିଅନ୍ତୁ ନଚେତ ହଜାର ହଜାର ଲୋକ ପୋକମାଛି ପରି ମରିବେ । ସେଥିପାଇଁ ଉଭୟ ସରକାର ଦାୟୀ ରହିବେ । ସାରା ଭାରତରେ ୩.୨% ଲୋକଙ୍କୁ ବର୍ତମାନ ସୁଦ୍ଧା ଟୀକା ଦିଆଯାଇଛି ଅର୍ଥାତ ପ୍ରାୟ ୨୧ କୋଟି ଲୋକଙ୍କୁ ଟୀକା ଦିଆଯାଇଛି । ବାକି ୧୧୯ କୋଟି ଲୋକ ଟୀକା ନପାଇ ଡହଳ ବିକଳ ହେଉଛନ୍ତି । ଯଦି ଟୀକାକରଣକୁ ତ୍ୱରାନ୍ୱିତ ନକରିବା ତେବେ ଆମେ କରୋନା ଲଢ଼େଇରେ ହାରମାନିବା ଏବଂ କରୋନାକୁ ପ୍ରତିହତ କରିପାରିବା ନାହିଁ । ଏଣୁ ସାର୍ବଜନୀନ ନିଶୁଳ୍କ ଟୀକ କରଣ କରାଯାଉ । ନଚେତ କଂଗ୍ରେସ ଦଳ କୋଭିଡ ନିୟମ ଭିତରେ ଟୀକାକରଣକୁ ନେଇ ଜନହିତଙ୍କ ଉଦ୍ଦେଶ୍ୟରେ ସଂଗ୍ରାମ କରିବ ବୋଲି ଶ୍ରୀ ମୋକିମ ପ୍ରକାଶ କରିଥିଲେ ।