କର୍ଣ୍ଣାଟକରେ ହେବ କଂଗ୍ରେସ ସରକାର : ଏନସିପି ନେତା ଶରଦ ପାୱାର
ମୁମ୍ବାଇ : କର୍ଣ୍ଣାଟକ ବିଧାନସଭା ନିମନ୍ତେ ମେ ୧୦ ତାରିଖ ଦିନ ଭୋଟ ଗ୍ରହଣ ହୋଇଛି। ମେ ୧୩ ତାରିଖ ଦିନ ଭୋଟ ଗଣତି ହେବ। ତେବେ ଏହା ପୂର୍ବରୁ ରାଜନୈତିକ ଅବଗଣନା ଆରମ୍ଭ ହୋଇଯାଇଛି। ଏଥିରେ ରାଷ୍ଟ୍ରବାଦୀ କଂଗ୍ରେସ(ଏନସିପି) ନେତା ଶରଦ ପାୱାର କର୍ଣ୍ଣାଟକ ନିର୍ବାଚନ ନେଇ ବଡ଼ ବୟାନ ଦେଇଛନ୍ତି। ସେ ରାଜ୍ୟରେ କଂଗ୍ରେସ ସରକାର ହେବାକୁ ଯାଉଥିବା କହିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଗୁରୁବାର ଶରଦ ପାୱାରଙ୍କୁ ତାଙ୍କ ଘରେ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ନିତିଶଙ୍କ ସହ ଥିଲେ।
ଏହି ସାକ୍ଷାତ ଆଲୋଚନା ପରେ ଏନସିପି ମୁଖ୍ୟ ଦେଶର ପରିସ୍ଥିତିକୁ ଦେଖି ଗଣତନ୍ତ୍ରର ସୁରକ୍ଷା ନିମନ୍ତେ ସମସ୍ତଙ୍କୁ ମିଳିମିଶି କାମ କରିବା ଜରୁରି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏପରି ଲାଗୁଛି ଯଦି ମିଳିମିଶି କାମ କରାଯାଏ ତେବେ ଦେଶକୁ ଯେଉଁ ବିକଳ୍ପର ଆବଶ୍ୟକତା ଅଛି ସେଥି ଲାଗି ସମର୍ଥନ ହୁଏତ ମିଳିଯାଇପାରେ। ଶରଦ ପାୱାର କହିଛନ୍ତି ଯେ ବୁଧବାର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିଲା। ସେଠାକାର ଲୋକେ ବିଜେପିକୁ ହଟାଇ ଏକ ଧର୍ମ ନିରପେକ୍ଷ ସରକାରଙ୍କୁ ବାଛିବେ। ତେବେ ଗୁରୁବାର ନିତିଶଙ୍କ ସହ ତାଙ୍କର ସାକ୍ଷାତକୁ ଏକ ସାର୍ଥକ ଆଲୋଚନା ବୋଲି କହିଛନ୍ତି।
ସେହିପରି ବିରୋଧୀ ଦଳଙ୍କୁ ଏକଜୁଟ କରିବା ପାଇଁ ଉଦ୍ୟମ କରୁଥିବା ନିତିଶ କୁମାର ଦେଶରେ ବିଜେପି ଯାହା କରୁଛି ତାହା ଦେଶ ନିମନ୍ତେ ହିତକର ନୁହେଁ ବୋଲି କହିଛନ୍ତି। ଏଣୁ ଆମେ ଚାହୁଁଛୁ ସବୁ ବିରୋଧୀ ଦଳ ଏକଜୁଟ ହୁଅନ୍ତୁ। ଏଣୁ ଆଜି ଆମେ ଆଲୋଚନା କରିଛୁ ଓ ସବୁ ଦଳଙ୍କ ସହ କଥାବାର୍ତ୍ତା ହୋଇଛି ବୋଲି ନିତିଶ କହିଛନ୍ତି। ଏଥିଲାଗି ସମସ୍ତଙ୍କର ସହମତି ହେଉଛି। ଆମେ ସବୁ ଏକାଠି ବସି ନିଷ୍ପତ୍ତି ନେବୁ। ତେବେ ଆଜି ଯେଉଁ ଆଲୋଚନା ହୋଇଛି ବହୁତ ଭଲ ଆଲୋଚନା ହୋଇଛି ଓ ଯାହା ବି ହେଉଛି ଦେଶ ହୀତରେ ହେବାକୁ ଯାଉଛି ବୋଲି ନିତିଶ କହିଛନ୍ତି।