ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୨ ଗୁରୁତର
ସଇଁନ୍ତଲା : ବଲାଙ୍ଗିର ଜିଲା ସଇଁନ୍ତଲା ଥାନା ଅଧୀନସ୍ଥ ଟିକ୍ରାପଡ଼ା ଫାଣ୍ଡି ସାଇମରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ୨ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ଯୋଗୁ ୨ଜଣ ଗୁରୁତର ଅବସ୍ଥାରେ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଦ୍ୱୟ ହେଲେ ଯଶୋବନ୍ତ ଧରୁଆ ଓ ରାକେଶ ଭୋଇ ।
ମିଳିଥିବା ରିପୋର୍ଟ ମୁତାବକ, ସାଇମରା ଗାଁର ଅର୍ଜୁନ ଧରୁଆଙ୍କ ଘରକୁ ଖେର୍ସେଲବାଞ୍ଜି ଗାଁର ଯଶୋବନ୍ତ ଧରୂଆ(୩୫) କୁଣିଆ ଭାବେ ଆସିଥିଲେ । ଏହି ସମୟରେ ଜୁରାବନ୍ଦ ଗାଁର ପ୍ରଦିପ ଧରୁଆ, କେଉମାଲ ଗାଁର ରାକେଶ ଭୋଇ(୨୪) ଓ ତାଙ୍କ କିଛି ସହଯୋଗୀ ପ୍ରଥମେ ଆସି ଅର୍ଜୁନ ଧରୁଆଙ୍କ ଦୋକାନକୁ ଭଙ୍ଗାରୁଜା କରିଥିଲେ । ଏହାକୁ ଦେଖି ଯଶୋବନ୍ତ ବିରୋଧ କରିଥିଲେ । ବିରୋଧ କରିବାରୁ ଯଶୋବନ୍ତ ଓ ରାକେଶ ଭୋଇଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ସାଂଘାତିକ ରୂପ ନେବାରୁ ଧାରୁଆ ଅସ୍ତ୍ର ମଧ୍ୟରେ ୨ ଜଣ ପରସ୍ପରକୁ ଆକ୍ରମଣ କରିଥିଲେ । ଫଳରେ ଯଶୋବନ୍ତଙ୍କ ଗଳା କଟି ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଗ୍ରାମବାସୀ ରାକେଶକୁ ଏକ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଥିଲେ । ପରେ ଖବର ପାଇ ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ ଗୋପାଳଚନ୍ଦ୍ର ମିଶ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ରାକେଶକୁ ଉଦ୍ଧାର କରି ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ରାକେଶଙ୍କ ସ୍ୱାସ୍ଥ୍ୟ ପରେ ଅତି ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଏକ ମାମଲା ରୁଜୁ କରି ସଇଁନ୍ତଲା ଥାନା ଏସଏସଆଇ ଥବିର ମହାରଣା ଓ ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ତଦନ୍ତ ଜାରି ରଖିଛନ୍ତି ।