ପୂଜା ପଣ୍ଡା ଓ ବଡ଼ ନିଯୋଗ ମଧ୍ୟରେ କଳହ, ଉପାସରେ ମହାପ୍ରଭୁ ଲିଙ୍ଗରାଜ
- ଗତ ରାତିରୁ ବନ୍ଦ ରହିଛି ନୀତିକାନ୍ତି
ଭୁବନେଶ୍ୱର: ଓପାସରେ ମହାପ୍ରଭୁ ଲିଙ୍ଗରାଜ । ଆଜି ଦିନ ତମାମ ହେବ ନାହିଁ କୌଣସି ନୀତି । ଗତକାଲି ସନ୍ଧ୍ୟାରୁ ବନ୍ଦ ରହିଛି ଲିଙ୍ଗରାଜଙ୍କ ନୀତିକାନ୍ତି । ପଇତା ଲାଗି ନୀତିକୁ କେନ୍ଦ୍ର କରି ହୋଇଛି କଳହ । ପୂଜା ପଣ୍ଡା ଓ ବଡ଼ ନିଯୋଗ ମଧ୍ୟରେ କଳହ । କାଲି ସନ୍ଧ୍ୟାରୁ ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି । ମନ୍ଦିର କାର୍ଯ୍ୟାଳୟ, ଟ୍ରଷ୍ଟବୋର୍ଡ, ସେବାୟତ ପ୍ରତିନିଧିଙ୍କ ସହମତିରେ ଏଭଳି ଘଟିଥିବା କୁହାଯାଉଛି । ଯାହାକୁ ନେଇ ଶ୍ରଦ୍ଧାଳୁ ବ୍ୟଥିତ ହୋଇଛନ୍ତି । କାରଣ ସୋମବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟାଧୂପ ପରେ ପବିତ୍ରାରୋପଣ ଉତ୍ସବର ଆଦ୍ୟ ନୀତି ଅଧିବାସ ପୂଜା ହୋଇନଥିଲା । ଫଳରେ ଆଜିର ଅବଶିଷ୍ଟ ନୀତି ମଧ୍ୟ ଆଉ ଆଗକୁ ନ ବଢି ଦିଅଁ ଅପୂଜା ରହିଲେ ।
ସୋମବାର ସନ୍ଧ୍ୟା ଧୂପ ପରଠାରୁ ନୀତି ବନ୍ଦ ରହିବା ସହ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଓପାସରେ ଅଛନ୍ତି, ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବା ନେଇ ପୂଜାପଣ୍ଡା ଏବଂ ବଡ଼ୁ ନିଯୋଗ ସେବାୟତଙ୍କ ଭିତରେ ଟଣା ଓଟରା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି, ସେପଟେ ବର୍ଷକୁ ଅନେକ ଥର ଏମିତି ସମସ୍ୟା ବାରମ୍ବାର ଉପୁଜୁଥିବା ବେଳେ ପ୍ରଶାସନ ନିରବ ରହି ଆସିଛି, ପ୍ରଶାସନର ଅବହେଳା ପାଇଁ ଏହି ସମସ୍ୟା ଉପୁଜୁଥିବା ଅନେକ କହିଛନ୍ତି। ୨୦୨୦ ମସିହାରୁ ଲାଗିରହିଛି ଏହି ବିବାଦ।
ସେହିପରି ମଙ୍ଗଳବାର ଦିଅଁଙ୍କ ପବିତ୍ରାରୋପଣ ପର୍ବ ଅନୁଷ୍ଠିତ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ତେଣୁ ଦିନ ତମାମ ଶ୍ରୀଜିଉଙ୍କ କୌଣସି ନୀତି ସମ୍ପନ୍ନ ହେବ ନାହିଁ । ଏହିଭଳି ଜାଣିଣୁଣି ଦେବ ନୀତିରେ ଅଣଦେଖା କରାଯାଉଥିବା ନେଇ ସବୁ ମହଲରୁ ଅସନ୍ତୋଷ ଦେଖିବାକୁ ମିଳିଛି । ଏକାମ୍ର ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି ଯେ, ଏପରି ବିଭ୍ରାଟ ପାଇଁ ଦେବୋତ୍ତର ବିଭାଗ ସମ୍ପୂର୍ଣ୍ଣ ଦାୟୀ ଅଟନ୍ତି । କାରଣ ନିୟମିତ ଭାବେ ବିଗତ କିଛି ବର୍ଷ ସମାନ ଧରଣର ସ୍ଥିତି ଉପୁଜୁ ଥିଲେ ସୁଦ୍ଧା ଦେବୋତ୍ତାର କମିସନର କୌଣସି ପ୍ରକାରେ ସମାଧାନ ଦିଗରେ ସାମାନ୍ୟତମ ଆଗ୍ରହ ପ୍ରଦର୍ଶନ କରୁ ନାହାନ୍ତି । ଯାହା ଫଳରେ ଦୀଅଁଙ୍କ ନୀତି ବନ୍ଦ ରହିବା ସହିତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ଦେବୋତ୍ତର ବିଭାଗ ଉପରେ ଆସ୍ଥା କମିବାରେ ଲାଗିଛି ।
ସୂଚନା ଯେ, ଗତ ୨୦୧୯ ଶିବ ପବିତ୍ରାରୋପଣ ତିଥିରେ ଶ୍ରୀଲିଙ୍ଗରାଜ ସେବାୟତଙ୍କ ମଧ୍ୟରେ ସେବା ଅଧିକାରକୁ ନେଇ ବିବାଦ ଉପୁଜି ଥିଲା । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବଡୁ ଓ ପୂଜାପଣ୍ଡା ନିଯୋଗ କିଏ କେତୋଟି ପଇତା ଲାଗି କରିବେ ତାହା ତୁଟି ନଥିଲା । ଶେଷରେ ଉକ୍ତ ବର୍ଷ ଏହି ପର୍ବ ବିବାଦରେ ଛନ୍ଦି ହୋଇ ହୋଇଯିବା କାରଣରୁ ପାଳନ ହୋଇ ନଥିଲା । ପରେ ମାମଲା କୋର୍ଟରେ ଯାଇ ପହଞ୍ଚି ଥିଲା । ସେବେଠାରୁ ପବିତ୍ରାରୋପଣରେ ଶ୍ରୀଲିଙ୍ଗରାଜ ଅପୂଜା ରହିବା ସହିତ ସ୍କନ୍ଦ ମଧ୍ୟ ଖାଲି ପଡୁଛି ।