ବାଂଲାଦେଶରେ ବଢୁଛି ସାଂପ୍ରଦାୟିକ ହିଂସା : ୨୦ରୁ ଅଧିକ ହିନ୍ଦୁଙ୍କ ଘର ପୋଡ଼ି, ୨୦ ଗିରଫ
ଢାକା : ବାଂଲାଦେଶରେ କ୍ରମାଗତ ଭାବରେ ସାଂପ୍ରଦାୟିକ ହିଂସାକାଣ୍ଡ ବଢି ଚାଲିଛି । ମୁସଲମାନ ସଂପ୍ରଦାୟର କିଛି ଲୋକ ହିନ୍ଦୁ ମନ୍ଦିର, ମୂର୍ତ୍ତି ଏବଂ ଘର ଗୁଡିକୁ ଭଙ୍ଗାରୁଜା କରିବା ସହିତ ସେଥିରେ ନିଆଁ ଲଗାଇ ଦେଉଛନ୍ତି । ସେମାନଙ୍କ ଆକ୍ରମଣରେ ଇତିମଧ୍ୟରେ ହିନ୍ଦୁ ସଂପ୍ରଦାୟର ୨ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହି ପରିପ୍ରେକ୍ଷୀରେ ଗତ ରବିବାର ରାତିରେ ବାଂଲାଦେଶର ରଙ୍ଗପୁର ସହରରେ ଉତ୍ତ୍ୟକ୍ତ ଜନତା ୨୦ରୁ ଅଧିକ ହିନ୍ଦୁମାନଙ୍କ ଘର ପୋଡ଼ି ଦେଇଥିବା ନେଇ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁସାରେ ‘ଫେସ୍ବୁକ୍’ରେ ଜଣେ ହିନ୍ଦୁ ଯୁବକ ମୁସଲମାନଙ୍କ ଧାର୍ମିକ ଭାବାବେଗକୁ ବାଧିବା ପରି ‘ଷ୍ଟାଟସ୍ ପୋଷ୍ଟ୍’ କରିଛନ୍ତି ବୋଲି ଗୁଜବ ଉଠିବା ପରେ ଘରପୋଡ଼ି ଘଟଣା ଘଟିଥିଲା।
ଏନେଇ କମରୁଜମାନ୍ର ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ ବିପ୍ଳବ କୁମାର ସର୍କାର କହିଛନ୍ତି ଯେ, ‘ଫେସ୍ବୁକ୍’ରେ ଜଣେ ହିନ୍ଦୁ ଯୁବକ ଆପତ୍ତିଜନକ ଷ୍ଟାଟସ୍ ପୋଷ୍ଟ୍ କରିଥିବା କଥା ଅଭିଯୋଗ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ‘ପୋଷ୍ଟ୍’ଟି ଭାଇରାଲ୍ ହେବା ପରେ ପୁଲିସ ସେ ଯୁବକଙ୍କ ଘରକୁ ସୁରକ୍ଷା ଦେଇଥିଲେ। କିନ୍ତୁ, ଆକ୍ରମଣକାରୀମାନେ ତାଙ୍କ ପଡ଼ୋଶୀମାନଙ୍କ ଉପରେ ରାଗ ଶୁଝାଇବାକୁ ଯାଇ ୨୦ଟି ପୋଡ଼ି ପକାଇଲେ। ଏହି ଆକ୍ରମଣରେ କେହି ଆହତ ହୋଇ ନାହାନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ପୁଲିସ ରବର ଗୁଳି ଚଳାଇଥିଲା। ବାଂଲାଦେଶର ପୀରଗଞ୍ଜ ଉପଜିଲ୍ଲାର କରିମଗଞ୍ଜରେ ଘଟିଥିବା ଏହି ଘଟଣା ରାତି ପ୍ରାୟ ୧ଟା ବେଳେ ନିୟନ୍ତ୍ରଣକୁ ଆସିଥିଲା। ଏଥିରେ ସମ୍ପୃକ୍ତ ଥିବା ୨୦ଜଣଙ୍କୁ ପୁଲିସ ଗିରଫ କରିଛି। ଥଇଥାନ ବ୍ୟବସ୍ଥା କରାଯିବା ସହ ପୀଡ଼ିତ ପରିବାରବର୍ଗଙ୍କ ପାଇଁ ଅନ୍ୟାନ୍ୟ ଉପକ୍ରମ କରାଯାଇଥିବା କଥା ରଙ୍ଗପୁର ଡେପୁଟି କମିସନର୍ ଆସିବ ଅହସାନ୍ କହିଛନ୍ତି। ସୂଚନା ଯେ, ବାଂଲାଦେଶର ଗାଜିପୁର, ବନ୍ଦରବନ, ଚାପାଇନୱାବଗଞ୍ଜ, ଚିଟାଗଙ୍ଗ, ମୌଲବୀବଜାର ଏବଂ ଚାନ୍ଦପୁର ପ୍ରଭୃତି ସ୍ଥାନରେ ଏହିଭଳି ହିଂସାତ୍ମକ ଘଟଣା ଘଟିଛି । ଇତିମଧ୍ୟରେ ବାଂଲାଦେଶର ଗୃହ ମନ୍ତ୍ରୀ ଆସାଦୁଜମନ ଖାଁ ଦୁର୍ଗା ପୂଜା ମଣ୍ଡପରେ ଆକ୍ରମଣ ପୂର୍ବ ଯୋଜନାବଦ୍ଧ ବୋଲି କହିବା ସହିତ ଦେଶରେ ସାଂପ୍ରଦାୟିକ ସଂପ୍ରୀତିକୁ ନଷ୍ଟ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ସରକାର ଏବଂ ନିରାପତ୍ତା ବାହିନୀ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସମାଜବିରୋଧୀମାନେ ସେମାନଙ୍କ ଉଦ୍ୟମରେ ସଫଳ ହେବେନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ମୁସଲମାନ ସଂପ୍ରଦାୟର କିଛି ଲୋକ ୭୦ଟି ଦୁର୍ଗାପୂଜା ମଣ୍ଡପ, ହିନ୍ଦୁମାନଙ୍କର ୩୦ଟି ବାସଗୃହ, ୫୦ଟି ଦୋକାନରେ ଭଙ୍ଗାରୁଜା କରିବା ସହିତ ସେଠାରେ ଲୁଟପାଟ କରିଛନ୍ତି ଏବଂ ନିଆଁ ଲଗାଇ ଦେଇଛନ୍ତି ।