ଆଜି ଠୁ ମଇ ୨ ପର୍ଯ୍ୟନ୍ତ କଲେଜ ଓ ୟୁନିଭର୍ସିଟି ବନ୍ଦ
ଭୁବନେଶ୍ୱର : ଆଜି ଠାରୁ ମଇ ୨ ତାରିଖ ଯାଏଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ କ୍ଲାସ୍ ବନ୍ଦ ରହିବ । ବୁଧବାର ଠାରୁ ରାଜ୍ୟର ୟୁଜି/ପିଜି କ୍ଲାସ ବନ୍ଦ ରହିବ । ତେବେ ପରୀକ୍ଷା, ମୂଲ୍ୟାୟନ ଆଦି ଜାରି ରହିବ । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦୃଷ୍ଟି ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ ପ୍ରିନ୍ସିପାଲ ମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । କଲେଜ ବନ୍ଦ ରହିଲେ ମଧ୍ୟ ଅଧ୍ୟାପକ ଓ ଅନ୍ୟ କର୍ମଚାରୀମାନେ ପୂର୍ବଭଳି କଲେଜ ଓ ବିଶ୍ବ ବିଦ୍ୟାଳୟ ଆସିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ଯେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ କ୍ଲାସରୁମ୍ ଶିକ୍ଷାଦାନ ଏପ୍ରିଲ ୨୭ ତାରିଖରୁ ମେ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକରେ ପରୀକ୍ଷା, ମୂଲ୍ୟାୟନ,ପ୍ରଶାସନିକ କାର୍ଯ୍ୟ ଏବଂ ରିସର୍ଚ୍ଚ କାର୍ଯ୍ୟ ଜାରି ରହିବ ।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲରୁ ୨୬ରୁ ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ବନ୍ଦ ରଖିବାକୁ ଗତକାଲି ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ମାତ୍ର ଏହି ସମୟ ମଧ୍ୟରେ ଦଶମ ଓ ଯୁକ୍ତ୨ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଅନୁଷ୍ଠିତ ହେବ ।