ଭୁଶୁଡ଼ିଲା ନିର୍ମାଣାଧୀନ କୁସେଇସେତୁ : ୨ ଗୁରୁତର, ଜଣେ ଆହତ
ଘସିପୁରା : କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଘସିପୁରା ଥାନା ବେଲବାହାଳିରେ ନିର୍ମାଣାଧିନ ଅବସ୍ଥାରେ ଭାଙ୍ଗିଲା ୨୦ ନମ୍ବର ଜାତୀୟ ରାଜପଥର କୁସେଇ ସେତୁ । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।
ଆଜି ସକାଳୁ ଶ୍ରମିକ ମାନେ କାମ କରୁଥିବା ଅବସ୍ଥାରେ ସେତୁର ଗୋଟିଏ ସ୍ପାନ ଅଧାରୁ ଭାଙ୍ଗି ଯାଇଛି । ତାହା ସହିତ ସଂଯୋଗ ହୋଇଥିବା ବିମ୍ ମଧ୍ୟ ତଳକୁ ଖସି ପଡିଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଆନନ୍ଦପୁର ମେଡ଼ିକାଲ୍ ରେ ଭର୍ତି କରାଯାଇଥିଲା । ଗୁରୁତର ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ନିମନ୍ତେ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଘଷିପୁରା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଗୁରୁତର ଶ୍ରମିକଙ୍କ ଘର ଗଞ୍ଜାମ ଜିଲ୍ଲାର କଇଥବେଡା ଗ୍ରାମରେ ବୋଲି ସୂଚନା ମିଳିଛି । ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ୟ୍ଯ ଚକିତ ହେଉଥିବା ବେଳେ ଠିକା ସଂସ୍ଥାର କାମକୁ ନେଇ ପ୍ରଶ୍ନ ଉଠିଛି । ଅଳ୍ପ ଦିନ ପରେ ଏହି ରାସ୍ତାରେ ଯାତାୟତ ଆରମ୍ଭ ହେବାକୁ ଥିବାବେଳେ ଠିକାଦାରଙ୍କ ଏଭଳି କାମ ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ । ତେବେ ଘଟଣା ସମ୍ପର୍କରେ ଠିକାସଂସ୍ଥାର କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।