ଆଜି ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ, ମିଳିବ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ଼
ନୂଆଦିଲ୍ଲୀ/ଭୁବନେଶ୍ୱର : ଆଜି ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୃଢ଼ ନେତୃତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ରବିବାର ଜୀବନବ୍ୟାପୀ ସାଧନା ସମ୍ମାନ ବା ଲାଇଫ୍ ଟାଇମ୍ ଆଚିଭମେଂଟ ଆୱାର୍ଡ ପ୍ରଦାନ କରାଯିବ । ଦିଲ୍ଲୀସ୍ଥିତ ଇଣ୍ଡିଆ ଇଂଟରନ୍ୟାସନାଲ୍ ସେଂଟର ଅଡିଟୋରିୟମ୍ ରେ କ୍ୟାପିଟାଲ୍ ଫାଉଣ୍ଡସେନ୍ ସୋସାଇଟି ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯିବ । ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବେ । ନବୀନଙ୍କୁ ଏହି ସମ୍ମାନ ମିଳୁଥିବାରୁ ଏହାକୁ ଉତ୍ସବ ଭାବେ ପାଳିବାକୁ ବିଜେଡି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଯାଇଛି । ସେହିପରି ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାକୁ ଦଳ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଆ ଆଇନଜ୍ଞ ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପରିଚାଳିତ ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ପକ୍ଷରୁ ଚଳିତବର୍ଷ ବାର୍ଷିକ ପୁରସ୍କାର ପ୍ରଦାନ ସମାରୋହ ଆସନ୍ତାକାଲି ନୂଆଦିଲ୍ଲୀର ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟର ଅଡିଟୋରିୟମରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କୁ ଏହି ସଂସ୍ଥା ସମ୍ବର୍ଦ୍ଧନା ଦେବାବେଳେ ତାଙ୍କୁ ଉତ୍ସାହିତ କରିବା ନିମନ୍ତେ ବିଜେଡି ପକ୍ଷରୁ ପ୍ରାୟ ୩୦୦ରୁ ଅଧିକ ଛାତ୍ର,ଯୁବ ଓ ମହିଳା କର୍ମକର୍ତାଙ୍କୁ ଦିଲ୍ଲୀ ନିଆଯାଇଛି । ଏହି ଆୱାର୍ଡ ମିଳିବା ପରେ ଦିଲ୍ଲୀ ଓ ଏନସିଆରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଏକଜୁଟ କରି ନବୀନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ବିଜେଡି ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଭବନକୁ ଯିବାଆସିବା ନିମନ୍ତେ ଗାଡ଼ିର ବ୍ୟବସ୍ଥା ମଧ୍ୟ ବିଜେଡିର ‘ ଓଡ଼ିଶା ମୋ ପରିବାର’ ପକ୍ଷରୁ ହୋଇଥିବା ନେଇ ସୂଚନା ମିଳିଛି । ଏହାବ୍ୟତୀତ ନବୀନ ଦିଲ୍ଲୀରୁ ଫେରିବା ପରେ ୬ତାରିଖରେ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ମଧ୍ୟ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଦେବା ନିମନ୍ତେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ଜଣାପଡ଼ିଛି ।