ଆଜି ଦେଶର ବୃହତ ହକି ଷ୍ଟାଡିୟମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ଉଦଘାଟନ ହେବ ଦେଶର ବୃହତ ହକି ଷ୍ଟାଡିୟମ । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତ କରି ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନ କରିବେ । ଦେଶର ଏହି ବୃହତ ହକି ଷ୍ଟାଡିୟମରେ ବିଶ୍ୱକପ ହକିର କିଛି ମ୍ୟାଚ ଖେଳାଯିବ ।
ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଏହି ଷ୍ଟାଡିୟମ ନିର୍ମାଣ କରାଯାଇଛି । ମାତ୍ର ୧୫ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହି ଷ୍ଟାଡିୟମରେ ଦର୍ଶକ କ୍ଷମତା ରହିଛି ୨୦ ହଜାରରୁ ଅଧିକ। ଉଭୟ ଖେଳାଳୀ ଏବଂ ଦର୍ଶକଙ୍କ ପାଇଁ ସବୁପ୍ରକାରର ସୁବିଧା ଏହି ଷ୍ଟାଡିୟମରେ ରହିଛି । ୯ ମାସ ମଧ୍ୟରେ ୨୨୫ ଘର ଥିବା ବିଶ୍ୱ କପ୍ ହକି ଗ୍ରାମର ନିର୍ମାଣ କରାଯାଇଥିବା ସୂଚନା ମିଳିଛି । ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେଉଥିବା ବେଳେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଏବଂ ବିର୍ସା ମୁଣ୍ଡା ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ ।
ମୁଖ୍ୟମନ୍ତ୍ରୀଙ୍କ ସହ ରହିବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ୫-ଟି ସଚିବ ଭି.କେ ପାଣ୍ଡିଆନ, କ୍ରୀଡ଼ା ସଚିବ ଆର. ଭିନିଲ କ୍ରୀଷ୍ଣା। ବିମାନ ବନ୍ଦରରୁ ସିଧାସଳଖ ଯିବେ ବିପିୟୁଟି ପରିସରକୁ ସେଠାରେ ନିର୍ମାଣ ହୋଇଥିବା ୱାର୍ଲଡ କପ୍ ଭିଲେଜକୁ ଉଦଘାଟନ କରିବା ସହ ମୁଖ୍ୟମନ୍ତ୍ରୀ ସେଠାରେ ରହୁଥିବା ଭାରତୀୟ ହକି ଟିମକୁ ଭେଟି ଖେଳାଳିଙ୍କ ସହ ଆଲୋଚନା କରିବେ ।
ଏହାପରେ ଅପରାହ୍ନ ୩ଟା ୫୫ରେ ୱାର୍ଲଡ କପ୍ ଭିଲେଜ୍ ରୁ ବାହାରି ମୁଖ୍ୟମନ୍ତ୍ରୀ ଅପରାହ୍ଣ ୪ଟାରେ ସୁନ୍ଦରଗଡ଼ ମେଡ଼କାଲ କଲେଜ, ରାଉରକେଲାରେ ମୋ ବସ୍ ସେବା, ରାଉରକେଲା ସହରର ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଉଦଘାଟନ କରିବା ସହ ଅନେକ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ପରେ ଅପରାହ୍ଣ ୪ଟା ୨୦ରେ ଦେଶର ବୃହତ୍ତମ ବିର୍ସାମୁଣ୍ଡା ହକି ଷ୍ଠାଡିୟମର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ଏହି ଗସ୍ତକାଳରେ ୧୧ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀ ହକି ଷ୍ଟାଡିୟମ ଉଦ୍ଘାଟନ କରିବା ପରେ ବାସନ୍ତୀ କଲୋନି ଡିଏଭି ପୋଖରୀର ୱାଟର ପାର୍କ ଉଦ୍ଘାଟନ କରିବେ । ତା’ପରେ ୧୪୬ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ, ମଲ୍ଡିଂ କାର୍ ପାର୍କିଂ ବ୍ୟବସ୍ଥା, ୧୧ କୋଟି ୯୯ ଲକ୍ଷ ବ୍ୟୟରେ ତିଆରି ଡିଏଭି ପୋଖରୀର ୱାଟର ପାର୍କ, ୧୭ କୋଟି ୯୩ ଲକ୍ଷ ଟଙ୍କାର ହନୁମାନବାଟିକା ଛକରୁ ଆର୍ଏସ୍ପି ମେନ୍ ଗେଟ୍ ଯାଏଁ ରିଂ ରୋଡର ସୌନ୍ଦର୍ଯ୍ୟକରଣ, ପ୍ରସିଦ୍ଧ ଶେବପୀଠ ବେଦବ୍ୟାସରେ ୧୬ କୋଟି ୭ ଲକ୍ଷ ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ।
ଏହାଛଡା ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲାର ୧୭ଟି ବ୍ଲକରେ ହକି ଆଷ୍ଟ୍ରୋଟର୍ଫ ମଧ୍ୟ ଉଦ୍ଘାଟନ କରିବେ । ଏଥିସହ ୨ କୋଟି ୩୩ ଲକ୍ଷ ବ୍ୟୟରେ ଟ୍ରାଫିକ ଛକ ନିକଟ ସେନ୍ସରି ପାର୍କ, ୩ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରଘୁନାଥପାଲୀ ଭେଣ୍ଡିଂ ଜୋନ୍, ୫୦ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟରେ ପାନପୋଷ ଏନ୍ଏସି ମାର୍କେଟ ତଥା ହକି ଛକର ସୌନ୍ଦର୍ଯ୍ୟକରଣ ଆଦି ପ୍ରକଳ୍ପଗୁଡ଼ିକୁ ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।