ପାଠ ହେଉ ବା ଖେଳ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୪୪୫ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି । ବାଲେଶ୍ୱର ଜିଲ୍ଲାର ୧୩୫ଟି ହାଇସ୍କୁଲ, ପୁରୀର ୯୫ଟି, ନୟାଗଡର ୬୦ଟି, ଜଗତସିଂହପୁର ର ୭୫ଟି ଓ ଭଦ୍ରକର ୮୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି ।
ଏହି ଅବସରରେ ପିଲାମାନଙ୍କୁ ଉଦ୍ ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ରୂପାନ୍ତର ସେମାନଙ୍କ ମାନସିକ ସ୍ତରରେ ମଧ୍ୟ ପରିବର୍ତନ ଆଣିଛି । ସେମାନେ ଆଗ ଅପେକ୍ଷା ଅଧିକ ଆତ୍ମବିଶ୍ୱାସର ସହ ନୂଆ ଆଶା ଓ ସଂକଳ୍ପ ନେଇ ଆଗକୁ ବଢୁଛନ୍ତି । ଏହା ଓଡିଶାର ଭବିଷ୍ୟତ ପାଇଁ ଏକ ଶୁଭ ସଂକେତ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି । ତେଣୁ ପାଠ ହେଉ ବା ଖେଳ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ପିଲା ସ୍ୱତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ୱପ୍ନ । ଜୀବନରେ କିଛି ବଡ କରିବାର ସ୍ୱପ୍ନ । ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ୱପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ତେଣୁ ଆତ୍ମବିଶ୍ୱାସ ର ସହ ଆଗକୁ ବଢିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ. ପିଲାମାନଙ୍କ ସ୍ୱପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତି ସ୍ଥାପିତ ହେବ ।
ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୀବନର ଏ ଗୁରୁତ୍ୱପୂର୍ଣ୍ଣ ସମୟକୁ ଠିକ୍ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଡଃ ଅରୁଣ କୁମାର ସାହୁ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଓ ବିଧାୟକ ଡଃ ବ୍ୟୋମକେଶ ରାୟ ପ୍ରମୁଖ ସେମାନଙ୍କ ଭାଷଣ ରେ ସ୍କୁଲ ରୂପାନ୍ତର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତନ ଆଣିଛି ବୋଲି ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ ।