ଆଇବିଏମ ଡେଭଲପମେଂଟ ସେଂଟର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରବିବାର ଜନ୍ମଦିନ । ଜନସେବାରେ ୨୫ ବର୍ଷ ଉତ୍ସର୍ଗ କରିଥିବା ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜନ୍ମଦିନ ମଧ୍ୟ ଅନ୍ୟଦିନ ପରି ଏକ ସାଧାରଣ ଦିନ । ସବୁଦିନ ପରି ଆଜି ବି ଏକ କର୍ମମୟ ଦିନ । ଜନ୍ମଦିନ ନିଜେ ନ ମନାଇବା ସହ ତାଙ୍କ ଜନ୍ମ ଦିନରେ କେହି ଶୁଭେଚ୍ଛା ଜଣାଇବା ପାଇଁ ମଧ୍ୟ ନବୀନ ନିବାସ ନଆସିବା ପାଇଁ କାଲିଠୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସର୍ବଦା ଋଣୀ ରହିବେ ବୋଲି କରିଥିଲେ । ତେବେ ଆଜି ଜନ୍ମ ଦିନରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଟେକ୍ ଜିଆଂଟ ଆଇବିଏମର ଡେଭଲପମେଂଟ ସେଂଟର ଉଦଘାଟନ କରିବା ପରେ ହାଇଦ୍ରାବାଦରେ ସୋମବାର ହେବାକୁ ଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେବା ପାଇଁ ଯାଇଥିବା ଜଣାପଡିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ରାଜଧାନୀ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଂଚଳରେ ଆଇବିଏମର ଭୁବନେଶ୍ୱର କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ଦେଶର ପୂର୍ବ ଭାଗରେ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଆଇବିଏମର ଏହ ପ୍ରଥମ ଶାଖା କାର୍ଯ୍ୟାଳୟ । କାର୍ଯ୍ୟାଳୟ ଉଦଘାଟନ ସମୟରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଆଇଟି ସଚିବ ମଧ୍ୟ ଉପସ୍ଥିତ ଥିଲେ । ମେକ୍ ଇନ୍ ଓଡ଼ିଶା ଉପକ୍ରମ କ୍ରମରେ ଆଇବିଏମ୍ ଓଡ଼ିଶା ଆସିଛି । ସେପ୍ଟେମ୍ବର ମାସରେ ଆଇବିଏମ୍ ଓଡ଼ିଶାରେ ତା’ର କାର୍ଯ୍ୟାଳୟ ଖୋଲିବା ପାଇଁ ଘୋଷଣା କରିଥିଲା । ଘୋଷଣାର ମାତ୍ର ମାସକ ପରେ ଓଡ଼ିଶାରେ ଆଇବିଏମ୍ ତା’ର କାର୍ଯ୍ୟାଳୟ ଖୋଲିଛି । ଓଡ଼ିଶା ସରକାରଙ୍କ ଶିଳ୍ପନୀତିକୁ ଏଥିପାଇଁ ପ୍ରଶଂସା କରାଯାଉଛି ।
ସୂଚନାଯୋଗ୍ୟ ଯେ ଖ୍ୟାତାନାମା ଶିଳ୍ପଦ୍ୟୋଗୀଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଦୁବାଇରୁ ପ୍ରଥମ ନିବେଶକ ସମ୍ମିଳନୀ ଆରମ୍ଭ କରିବା ପରେ ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ପରେ ହାଇଦ୍ରାବାଦ ଠାରେ ଷଷ୍ଠ ନିବେଶକ ସମ୍ମିଳନୀ କରିବାକୁ ଯାଉଛନ୍ତି ।ଏହି ସମ୍ମିଳନୀରେ ମୁଖ୍ୟତଃ ହେଲ୍ଥ୍ ଏବଂ ଫାର୍ମା, ଆଇଟି, ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ, ଟେକ୍ସଟାଇଲ, ଫୁଡ ପ୍ରୋସେସିଂ, ମାଇନିଂ ମେସିନାରୀ ଏବଂ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପ୍ରମୁଖ କମ୍ପାନୀଙ୍କର ମୁଖ୍ୟମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।