ନବୀନ ନିବାସରେ ପୂର୍ବତନ ମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ନବୀନ ନିବାସରେ ବସିଛି ବୈଠକ । ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଥିବା ପୂର୍ବତନ ମନ୍ତ୍ରୀ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରୁଛନ୍ତି । ବିଭିନ୍ନ ପ୍ରସଙ୍ଗକୁ ନେଇ ୯ ପୂର୍ବତନ ମନ୍ତ୍ରୀଙ୍କ ସହ ଏହି ବୈଠକ ବସିଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ ସମସ୍ତ ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ବୁଝିବା ନେଇ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।
ବିଦାୟୀ ମନ୍ତ୍ରୀମାନଙ୍କ ଭିତରୁ ବିକ୍ରମ କେଶରୀ ଆରୁଖଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ବିଦାୟୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ଜଣାଯାଇଛି । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ସୁଦାମ ମାରାଣ୍ଡି, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପଦ୍ମନାଭ ବେହେରା, ପଦ୍ମିନୀ ଦିଆନ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଅବସରରେ ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ଦାୟିତ୍ୱ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପରଫରର୍ମନ୍ସ ଯୋଗୁଁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇନି ବୋଲି ମୁଖ୍ୟମନ୍ତ୍ରୀ ବିଦାୟୀ ମନ୍ତ୍ରୀଙ୍କୁ କହିଥିଲେ । ମନ୍ତ୍ରିମଣ୍ଡଳ ବଦଳିବା ସ୍ୱାଭାବିକ ପ୍ରକ୍ରିୟା । କୋଭିଡ ସମୟରେ ଗୁରୁ ଦାୟିତ୍ୱ ବହନ କରିଥିବାରୁ ବିଦାୟୀ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ସେ ଆହୁରି କହିଥିଲେ, ଆପଣମାନେ ଦଳ ପାଇଁ କାମ କରନ୍ତୁ । ଆଗକୁ ୨୦୨୪ ନିର୍ବାଚନ ରହିଛି । ସଙ୍ଗଠନ କଥା ବୁଝନ୍ତୁ । ଦୁଇ ଚାରି ଦିନ ଭିତରେ ଖୁବଶୀଘ୍ର ସଙ୍ଗଠନ ଦାୟିତ୍ୱ ଦିଆଯିବ ।