ଦୋଳ ପୂର୍ଣ୍ଣିମାରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ‘ ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।’
ସୂଚନା ଯେ, ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଫଗୁ ଦଶମୀ ତିଥିରୁ ଓଡ଼ିଶାରେ ଆରମ୍ଭ ହୋଇଥାଏ ଦୋଳ ପର୍ବ। ଏହି ପର୍ବ ଅବସରରେ ପ୍ରଭୁ ଦୋଳଗୋବିନ୍ଦ ସୁସଜ୍ଜିତ ବିମାନରେ ଗାଁ ଗାଁ ପରିକ୍ରମା କରି ଦୁଆରେ ଦୁଆରେ ଭୋଗ ଖାଇଥାନ୍ତି। ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମାଙ୍କ ସହ ଦୋଳଗୋବିନ୍ଦ, ମହାଦେବ ଶିବ ଓ ହନୁମାନଙ୍କୁ ମଧ୍ୟ ଲୋକେ ନିଜ ଦୁଆରେ ଭୋଗ ଲାଗି କରିଥାନ୍ତି। ଏହି ଅବସରରେ ଠାକୁରଙ୍କୁ ଅବିର ଲାଗି କରିବା ଓ ଗ୍ରାମବାସୀମାନେ ନିଜ ନିଜ ଭିତରେ ଅବିର ରଙ୍ଗ ବୋଳାବୋଳି ହୋଇ ହୋଲି ଖେଳିବା ଆରମ୍ଭ ହୋଇଗଲାଣି। ଏଭଳି ଦୃଶ୍ୟ ଆଜିକାଲି ସହରରେ ମଧ୍ୟ ଦେଖିବାକୁ ମିଳିଲାଣି।