ନୂତନ ମନ୍ତ୍ରୀଙ୍କୁ ୬ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ନବୀନ ପଟ୍ଟନାୟକ ସରକାରର ପଂଚମ ପାଳିରେ ପ୍ରଥମ ଥର ମନ୍ତ୍ରିମଣ୍ଡଳ ଅଦଳ ବଦଳ ପରେ ରବିବାର ନୂତନ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ମନ୍ତ୍ରୀମାନଙ୍କୁ ବିଭାଗ ବଂଟନ ହୋଇଛି । ଏହା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସବୁ ନୂଆ ମନ୍ତ୍ରୀ । ଆଉ ମନ୍ତ୍ରୀମାନଙ୍କୁ ୬ଟି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୫ଟି ସହ ଆଉ ଏକ ଟି ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅଧିକ ଟୁର କରିବା ସହ ରାଜ୍ୟର ବିଭିନ୍ନ ଅଂଚଳ ବୁଲି ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ କହିଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ଦଳର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିବା ପରେ ପ୍ରମିଳା ମଲ୍ଲିକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସ୍ୱଚ୍ଛତାର ସହ ଲୋକଙ୍କ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କୁ ଅଧିକ ସମୟ ଦିଅ, ବିଭାଗର ବକେୟା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୫ଟି ନୁହେଁ ୬ଟି ସହ କାମ କରିବାକୁ କହିଛନ୍ତି । ବିଭିନ୍ନ ଜିଲ୍ଲା, ବ୍ଲକ, ତହସିଲ୍ ଓ ପଂଚାୟତ ବୁଲନ୍ତୁ । ବିଭିନ୍ନ ଅଂଚଳକୁ ଟୁର୍ କରି ପ୍ରତ୍ୟେକ ଜିଲ୍ଲାକୁ ଯାଆନ୍ତୁ ଏବଂ ଲୋକଙ୍କ ସମସ୍ୟା ବୁଝନ୍ତୁ । ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ।