ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାଦଶାହରେ ଆୟୋଜିତ ସ୍ମୃତି ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡ଼ା : ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ୱାଦଶାହରେ ଆୟୋଜିତ ସ୍ମୃତିସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡ଼ା ସରବାହାଲ ଠାରେ ହେଉଥିବା ସ୍ମୃତିସଭାରେ ପହଞ୍ଚି ସ୍ୱର୍ଗତ ମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବଙ୍କ ପତ୍ନୀ, ପୁଅ, ଝିଅଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି। ସ୍ମୃତି ସଭାରେ ବିଜେଡିର ନେତା ଓ ମନ୍ତ୍ରୀ ସାମିଲ ହୋଇଛନ୍ତି। ବହୁସଂଖ୍ୟାରେ ଲୋକେ ଏହି ସଭାରେ ଯୋଗ ଦେଇ ନବ ଦାସଙ୍କ ସ୍ମୃତି ଚାରଣ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭି.କେ.ପାଣ୍ଡିଆନ୍ ମଧ୍ୟ ସ୍ମୃତିସଭାକୁ ଯାଇଥିଲେ। ନବ କିଶୋର ଦାସଙ୍କ ପତ୍ନୀ ଝିଅ ଦିପାଳି ଓ ପୁଅ ବିଶାଲଙ୍କୁ ଭେଟି ସମବେଦନା ଜଣାଇଥିଲେ ନବୀନ। ସଭାସ୍ଥଳୀରେ ପରିବାର ଲୋକେ ଉପସ୍ଥିତ ଥିବା ବେଳେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିବାପରେ ସେଠାରୁ ହେଲିକପ୍ଟରରେ ଆସି ଅସ୍ଥାୟୀ ହେଲିପ୍ୟାଡ୍ ରେ ଅବତରଣ କରି ନିକଟରେ ଥିବା ସରବାହାଲ ହାଇସ୍କୁଲ ପଡ଼ିଆକୁ ଯାଇ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ। ଏହାପରେ ହେଲିକପ୍ଟରରେ ଝାରସୁଗୁଡା ବିମାନ ବନ୍ଦରକୁ ଯିବା ପରେ ବିମାନରେ ଭୁବନେଶ୍ୱର ଫେରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସରବାହାଲ ହାଇସ୍କୁଲ ପଡିଆରେ ନବ ଦାସଙ୍କ ଦ୍ୱାଦଶାହରେ ବିଜେଡି ବରିଷ୍ଠ ନେତା ମନ୍ତ୍ରୀ ସାମିଲ ହୋଇଛନ୍ତି । ଅନ୍ୟପଟେ ଏହି ସଭାରେ ଝାରସୁଗୁଡା, ସମ୍ବଲପୁର ସହ ଆଖପାଖ ଅଂଚଳର ବହୁ ଲୋକ ଯୋଗ ଦେଇଛନ୍ତି ।