ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ସଫେଇ କାର୍ଯ୍ୟକ୍ରମ
ନୀଳଗିରି : ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ହେଉଛି ବାଲେଶ୍ୱର ଜିଲା ନୀଳଗିରି ନିକଟ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ । ରମଣୀୟ ପ୍ରାକୃତିକ ପରିବେଶ, ଚିରସ୍ରୋତା ଝରଣାରେ, ନୀର ଶଯ୍ୟାରେ ବିଜେ ମହାଦେବଙ୍କୁ ପୂଜାର୍ଚ୍ଚନା କରିବାକୁ ଭକ୍ତଙ୍କ ମନରେ ଭକ୍ତି ଭାବ ସଦା ଉଜ୍ଜ୍ୱଳ । ଏଥିପାଇଁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟିଥାଏ ଏହି ପୀଠକୁ । ପୂର୍ବରୁ କିଛି ସମୟରେ ଶୈବପୀଠକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ସମସ୍ୟା ହେଉଥିବା ଯୋଗୁଁ ଆସନ୍ତା ଦିନରେ ପୁନରାବୃତ୍ତି ନ ହେବା ପାଇଁ ମାର୍ଗ ଦର୍ଶକ କରାଇବା ତଥା ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ବିକାଶ ସହ ଅସାମାଜିକ କାମ ଘଟାଇଥିବା ବ୍ୟକ୍ତିଙ୍କୁ ସାବାଡ଼ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଦୋକାନୀ ସଙ୍ଗଠିତ ହୋଇ ଆରମ୍ଭ ହୋଇଛି ପଞ୍ଚଲିଙ୍ଗେଶ୍ୱର ଯାତ୍ରୀ ସୁରକ୍ଷା କମିଟି ।
ଏହି ସୁରକ୍ଷା କମିଟି ପକ୍ଷରୁ ଶୈବପୀଠରେ ସ୍ୱଛତା ଉପରେ ଗୁରୁତ୍ୱ ଦେବା ସହ ମନ୍ଦିର ବେଢ଼ା ଠାରୁ ଆରମ୍ଭ କରି ରାସ୍ତା ଏବଂ ବାହାରେ ପଡ଼ିଥିବା ପ୍ଲାଷ୍ଟିକ ଓ ପଲିଥିନ ଆବର୍ଜନାକୁ ଏକାଠି କରି ପୋଡ଼ି ଦିଆଯାଇଛି । ପ୍ରତ୍ୟେକ ଦିନ ଏଠାକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ମାନେ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର କରି ରାସ୍ତା ଓ ଦୋକାନ ପାଖରେ ପକାଇଦେଇ ଚାଲିଯାଆନ୍ତି ଫଳରେ ଏଠାକାର ପରିବେଶ ଦୂଷିତ ହେବାରେ ଲାଗିଥାଏ ଏବଂ ପଞ୍ଚଲିଙ୍ଗେଶ୍ୱରର ପ୍ରାକୃତିକ ସୌନ୍ଦର୍ଯ୍ୟକରଣକୁ ଦୃଷ୍ଟିରେ ରଖି ସମାଜସେବୀ ମନୋରଞ୍ଜନ ଦାସଙ୍କ ତତ୍ତ୍ୱାବଧାନରେ ପଞ୍ଚଲିଙ୍ଗେଶ୍ୱର ଯାତ୍ରୀ ସୁରକ୍ଷା କମିଟି ଏବଂ ସ୍ଥାନୀୟ ଦୋକାନୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି କରାଯାଇଛି । ସଫେଇ କାର୍ଯ୍ୟକ୍ରମରେ ଯାତ୍ରୀ ସୁରକ୍ଷା କମିଟିର ସଭାପତି ସୁରେନ୍ଦ୍ର ଦାସ, ସମ୍ପାଦକ ସିଦ୍ଧାର୍ଥ ସେଠୀ, ରମଣୀ ରଞ୍ଜନ ଦାସ, ଗୌତମ ବେଜ, ରଞ୍ଜନ ପରିଡ଼ା, ବାସୁଦେବ ଜେନା, ବିନୋଦ ସେଠୀ, ଗୋବିନ୍ଦ ଦାସ, ମନୋଜ ପଣ୍ଡା, ଅନିଲ ସେଠୀ, କରୁଣାକର ବେହେରା, ସାବିତ୍ରୀ ସିଂ ଓ ଅନେକ ସାଥୀ ମିଳିତ ହୋଇ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି କମିଟି ସଦସ୍ୟ ମାନେ କହିଛନ୍ତି । ଏହା ସହ ସଫେଇ କାର୍ଯ୍ୟ ପରେ ୫୦୦ ଲୋକଙ୍କ ମଧ୍ୟରେ ଅନ୍ନଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।