ଗୁରୁଦିବସରୁ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ପାଠପଢା
- ଉଭୟ ପିଜି ଏବଂ ପିଏଚଡି ବିଭାଗରେ ହେବ ନାମଲେଖା
ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୫ (ଗୁରୁଦିବସ)ରୁ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ପାଠପଢ଼ା। ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାୟୋଗିକ ଭାଷା ଓ ଆଞ୍ଚଳିକ, ଆଦିବାସୀ ଭାଷା ଓ ଐତିହ ଭଳି ତିନୋଟି ବିଭାଗରେ ୨୪ଟି ଲେଖାଏଁ ସିଟ୍ ରହିବ । ଉଭୟ ପିଜି ଓ ପିଏଚଡି ପାଇଁ ନାମଲେଖା ହେବ । ଏନେଇ ଆଜି ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସିଲାବସ୍ କମିଟି ବୈଠକ ବସିଥିଲା । ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ ୬ଜଣିଆ କମିଟିର ବୈଠକ ଅନୁଷ୍ଠିତ ହୋଇଛି । କମିଟି ଅଧ୍ୟକ୍ଷ ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତାବିତ ସିଲାବସ ଓ ପାଠ୍ୟ ପୁସ୍ତକ ନେଇ ଆଲୋଚନା ହୋଇଛି । କମିଟିରେ ସ୍ଥାନୀତ ହୋଇଥିବା ପଦ୍ମଶ୍ରୀ ପ୍ରିୟମ୍ୱଦା ମହାନ୍ତି ହେଜ୍ ମାଦି, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ବିଶିଷ୍ଟ ଲେଖିକା ପ୍ରତିଭା ରାୟଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ ।
ଏ ସମ୍ପର୍କରେ ସୂଚନା ଦେଇ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ କହିଛନ୍ତି, ସେପ୍ଟେମ୍ୱର ୫ରୁ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପାଠ ପଢା ଆରମ୍ଭ ହେବ । ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାୟୋଗିକ ଭାଷା ଏବଂ ଆଞ୍ଚଳିକ, ଆଦିବାସୀ ଭାଷା ଓ ଐତିହ୍ୟ ଆଦି ତିନିଟି ବିଭାଗରେ ଛାତ୍ରଛାତ୍ରୀ ନାମ ଲେଖାଇବେ । ୨୪ ଲେଖାଏଁ ସିଟରେ ମୋଟ୍ ୭୨ଜଣ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଥିବାବେଳେ ପାଠ୍ୟକ୍ରମ ପ୍ରସ୍ତୁତି ପାଇଁ ସିଲାବସ୍ କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି । ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବାବେଳେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବିତ ସିଲାବସ୍ ଦିଆଯିବ । ଏହାର ଅନୁମୋଦନ ପରେ ଉକ୍ତ ପାଠ୍ୟକ୍ରମ ଆଧାରରେ ଛାତ୍ରଛାତ୍ରୀ ପାଠ ପଢ଼ିବେ । ତେବେ କ୍ୟାମ୍ପସ କାମ ଶେଷ ହୋଇନ ଥିବାରୁ କିଛି ଦିନ ଅସ୍ଥାୟୀ କ୍ୟାମ୍ପସରେ ପିଲାଙ୍କୁ ପାଠ ପଢ଼ାଯାଇପାରେ ବୋଲି ସେ କହିଛନ୍ତି ।