ଉଠାଦୋକାନୀଙ୍କ ପକ୍ଷରୁ ବିଧାୟକ ମୋକିମଙ୍କୁ ଦାବିପତ୍ର
କଟକ : ବକ୍ସିବଜାର ମାର୍କେଟ, ବିଲ୍ମୋରିଆ ଗଳି ଅଞ୍ଚଳର ପିଏମ୍ଟି ପାଚେରୀ କଡରେ ଅସ୍ଥାୟୀ ଉଠାଦୋକାନୀ ବ୍ୟସାୟୀମାନେ ଆଜି ସେକ୍ ଗୁଲାମ ମୋଇଦ୍ଦିନଙ୍କ ନେତୃତ୍ୱରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ୨୫ ବର୍ଷ ହେବ ଉଠାଦୋକାନୀମାନେ ଏହି ଅଂଚଳରେ ବେପାର କରିଆସୁଛନ୍ତି । କିନ୍ତୁ ସ୍ଥାୟୀ ଦୋକାନ ନଥିବାରୁ ସେମାନଙ୍କୁ ବାରମ୍ବାର ଉଚ୍ଛେଦ କରାଯାଉଥିବାରୁ ସେମାନେ ହଇରାଣ ହେଉଛନ୍ତି । ସେହି ଅଂଚଳରେ ବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠିରୁ ଏକ ଭେଣ୍ଡିଂ ଜୋନ୍ କରିବା ପାଇଁ ସେମାନେ ବିଧାୟକଙ୍କୁ ଅନୁରୋଧ କରିଥିଲେ । ତୁରନ୍ତ ଏ ଦିଗରେ ଉଚିତ ପଦକ୍ଷେପ ନିଆଯିବ ବୋଲି ବିଧାୟକ ମୋକିମ ପ୍ରତିଶ୍ରୁତି ଦେଇଛନ୍ତି ।