Skip to content
ଭୁବନେଶ୍ୱର : ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ପୁଲିସ ସ୍କାନର୍ରେ ଥିବା ତିନିଜଣ ସନ୍ଦିଗ୍ଧଙ୍କ ଲାଏ ଡ଼ିଟେକ୍ସନ ଟେଷ୍ଟ ହୋଇଛି। ସୋମବାର ରାଜ୍ୟ ଫରେନ୍ସିକ ଲାବ୍ରେ ଜଣେ ମହିଳାଙ୍କ ସମେତ ଦୁଇଜଣ ଯୁବକଙ୍କ ଏହି ପରୀକ୍ଷା କରାଯାଇଛି। ମୃତ୍ୟୁ ପୂର୍ବରୁ ଚିତ୍ତରଞ୍ଜନ ସଂସ୍ପର୍ଶରେ ଏମାନେ ଆସିଥିଲେ। ତେଣୁ ଚିତ୍ତରଞ୍ଜନଙ୍କ ମୃତ୍ୟୁ ପଛରେ ଏମାନଙ୍କ ସମ୍ପୃକ୍ତି ଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରିଛି। ବିଶେଷକରି ଚିତ୍ତରଞ୍ଜନଙ୍କ ସାଙ୍ଗରେ ଯାଇଥିବା ଜଗାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚରାଯାଇଛି।
ସେଦିନ ରାତିରେ କିଏ କିଏ ଭୋଜି କରୁଥିଲେ, ସମ୍ପୃକ୍ତ ମହିଳାଙ୍କ ଘରକୁ କାହିଁକି ଯାଇଥିଲେ, ମୃତ୍ୟୁ ପୂର୍ବରୁ ଚିତ୍ତଙ୍କ ସହ ଝଗଡ଼ା ହୋଇଥିଲା କି, ଏଭଳି ଅନେକ ପ୍ରଶ୍ନ ତାଙ୍କୁ ପଚରାଯାଇଛି। ଏଭଳି କରି ୩ଜଣଙ୍କୁ ପାଖାପାଖି ଦୁଇଶହ ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି। ସୋମବାର ପୂର୍ବାହ୍ଣ ୧୧ଟା ସମୟରେ ସନ୍ଦିଗ୍ଧମାନଙ୍କୁ ରସୁଲଗଡ଼ ସ୍ଥିତ ରାଜ୍ୟ ଫରେନ୍ସିକ ଲାବ୍କୁ ଅଣାଯାଇଥିଲା। ସେଠାରେ ପୃଥକ ଭାବେ ସମସ୍ତଙ୍କର ଟେଷ୍ଟ ହୋଇଥିଲା। ଅନ୍ୟପକ୍ଷେ ଚିତ୍ତଙ୍କ ବ୍ୟବଚ୍ଛେଦ ରିପୋର୍ଟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି।
ଭିସେରା ରିପୋର୍ଟ ଓ ଡ଼ାଏଟମ୍ ଟେଷ୍ଟ ରିପୋର୍ଟ ଆସିବା ପରେ କ୍ରାଇମବ୍ରାଞ୍ଚକୁ ଦିଆଯିବ ବୋଲି ପୁରୀ ସିଡ଼ିଏମ୍ଓ କହିଛନ୍ତି। ଏହିସବୁ ରିପୋର୍ଟ ଏବଂ ସନ୍ଦିଗ୍ଧଙ୍କ ବୟାନ ଆଧାରରେ ପୁଲିସ ତଦନ୍ତ ଚଳାଇଛି। କୋର୍ଟରେ ପଲିଗ୍ରାଫି ଟେଷ୍ଟକୁ ପ୍ରମାଣସ୍ୱରୂପ ଭାବେ ନିଆଯାଉନଥିବାବେଳ ତଦନ୍ତରେ ସହାୟ ପାଇଁ ସନ୍ଦିଗ୍ଧଙ୍କ ଲାଏ ଡ଼ିଟେକ୍ସନ ଟେଷ୍ଟ କରାଯାଇଛି। ସନ୍ଦିଗ୍ଧମାନେ ପୂର୍ବରୁ ପୁଲିସକୁ ଦେଇଥିବା ବୟାନ ଓ ଅଲଗା କିଛି ପ୍ରଶ୍ନକୁ ନେଇ କ୍ରାଇମବ୍ରାଞ୍ଚ ପ୍ରଶ୍ନାବଳୀ ପ୍ରସ୍ତୁତ କରିଥିଲା। ସେହି ଆଧାରରେ ସେମାନଙ୍କୁ ପଚରାଯାଇଛି। ରିପୋର୍ଟ ଆସିବା ପରେ ସନ୍ଦିଗ୍ଧମାନେ କେତେ ସତ ଓ କେତେ ମିଛ କହିଛନ୍ତି, ତାହା ସ୍ପଷ୍ଟ ହୋଇଯିବ।
Post Views: 2,904