‘ହାଇପର୍ ସୋନିକ୍’ କ୍ଷେପଣାସ୍ତ୍ର ନିକ୍ଷେପ କରି ନିଜର ସାମର୍ଥ୍ୟ ପରୀକ୍ଷା କଲା ଚୀନ୍
ବେଜିଙ୍ଗ୍: ଗୋଟାଏ ‘ହାଇପର୍ ସୋନିକ୍’ କ୍ଷେପଣାସ୍ତ୍ର ନିକ୍ଷେପ କରି ଚୀନ୍ ନୂତନ ମହାକାଶୀୟ ସାମର୍ଥ୍ୟ ପରୀକ୍ଷା କରିଥିବା କଥା ଶନିବାର ଦିନ ‘ଦି ଫାଇନାନ୍ ସିଆଲ୍ ଟାଇମ୍ସ୍’ ରିପୋର୍ଟ କରିଛି । ପରୀକ୍ଷା ସମ୍ବନ୍ଧରେ ଜ୍ଞାନ୍ତ ଥିବା ବିଭିନ୍ନସୂତ୍ର ଉପରେ ଆଧାରିତ ଏହି ରିପୋର୍ଟ ଅନୁସାରେ, ଅଗଷ୍ଟ ମାସରେ ବେଜିଙ୍ଗ୍ ଆଣବିକ ସାମର୍ଥ୍ୟ ଥିବା ଏକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା । ନିର୍ଦ୍ଧାରିତ ଲକ୍ଷସ୍ଥଳରେ ପଡ଼ିବା ପୂର୍ବରୁ ତାହା ନିମ୍ନ କକ୍ଷପଥରେ ପୃଥିବୀ ପରିକ୍ରମା କରିଥିଲା । କିନ୍ତୁ, ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥଳର ପ୍ରାୟ ୩୨ କିଲୋମିଟର୍ ଫରକରେ ତାହା ଅବତରଣ କରିଥିଲା ତିନୋଟି ସୂତ୍ରରୁ ଜଣାପଡ଼ିଥିଲା ।
ପ୍ରଥମ ସୂତ୍ର ଅନୁସାରେ, ଅଗଷ୍ଟ ମାସରେ କରାଯାଇଥିବା ଏହି ପରୀକ୍ଷା କଥା ଗୁପ୍ତ ରଖାଯାଇଥିଲେ ବି, ଉକ୍ତ ହାଇପର୍ ସୋନିକ୍ କ୍ଷେପଣାସ୍ତ୍ରଟି ‘ଲଙ୍ଗ୍ ମାର୍ଚ’ ରକେଟ୍ ଦ୍ୱାରା ଉତ୍କ୍ଷେପଣ କରାଯାଇଥିଲା । ‘ହାଇପର୍ ସୋନିକ୍’ ଅସ୍ତ୍ରଶସ୍ତ୍ରରେ ଚୀନ୍ର ଅଗ୍ରଗତି ଦେଖି ଆମେରିକୀୟ ଗୁଇନ୍ଦା ଆଚମ୍ବିତ ହୋଇଯାଇଥିଲା । ଚୀନ୍, ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍ ବ୍ୟତୀତ ଅନ୍ୟୂନ ଅନ୍ୟ ୫ଟି ରାଷ୍ଟ୍ର ‘ହାଇପର୍ ସୋନିକ ଟେକ୍ନୋଲୋଜି’ ଉପରେ କାର୍ଯ୍ୟ କରୁଛନ୍ତି । ସାଧାରଣ କ୍ଷେପଣାସ୍ତ୍ର ପରି ‘ହାଇପର୍ ସୋନିକ୍’ କ୍ଷେପଣାସ୍ତ୍ର ମଧ୍ୟ ଆଣବିକ ଅସ୍ତ୍ର ନିକ୍ଷେପ କରି ପାରିବ । ଏହା ଶବ୍ଦର ଗତି ବେଗ ଠାରୁ ୫ ଗୁଣା ଅଧିକ ବେଗରେ ଗତି କରିପାରିବ । କିନ୍ତୁ, ଏହି ରିପୋର୍ଟ ସଂକ୍ରାନ୍ତରେ ପେଂଟାଗନ୍ ହଠାତ୍ କୌଣସି ମନ୍ତବ୍ୟ ଦେଇ ନାହିଁ ।