ଆଜି ଶିକ୍ଷକ ସଂଘ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ
ଭୁବନେଶ୍ୱର : ପ୍ରାଥମିକ ଶିକ୍ଷକ ମହାସଂଘର ବିଭିନ୍ନ ଦାବି ନେଇ ଭୁବନେଶ୍ୱରରେ ପ୍ରତିବାଦ ପ୍ରସଙ୍ଗରେ ଆଜି ଶିକ୍ଷକ ସଂଘ ସହ ଆଲୋଚନା କରିବେ ସରକାର । ଏଥି ପାଇଁ ସରକାରଙ୍କ ତରଫରୁ ଶିକ୍ଷକ ସଂଘକୁ ଡାକରା ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ସଚିବାଳୟରେ ଆଲୋଚନା କରାଯିବ । ଏହି ଆଲୋଚନାରେ ସଂଘର ସର୍ବାଧିକ ୩ଜଣ ପ୍ରତିନିଧି ଯୋଗଦେବାକୁ କୁହାଯାଇଛି । ବିଭିନ୍ନ ଦାବି ନେଇ ଗତ ୪ ଦିନ କାଳ ଭୁବନେଶ୍ୱରର ରାଜରାସ୍ତାରେ ଅହରାତ୍ର ଧାରଣା ଦେଇଥିଲେ ହଜାର ହଜାର ଶିକ୍ଷକ । ଶିକ୍ଷକଙ୍କ ଗର୍ଜନରେ ମାଷ୍ଟରକ୍ୟାଂଟିନ୍ ଛକ କମ୍ପିଥିବା ଦେଖିବାକୁ ମିଳିଥିଲା ।
ଶୀତ ରାତିରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ୪ ଦିନ କାଳ ରାଜରାସ୍ତାରେ ପଡ଼ି ରହିଥିଲେ । ସରକାରଙ୍କ ପକ୍ଷରୁ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ଆଲୋଚନା ସଫଳ ହୋଇଥିଲା । ପରେ ପରେ ଶିକ୍ଷକ ମହାସଂଘ ସହ ଆଲୋଚନା କରିଥିଲେ ମୁଖ୍ୟ ଶାସନ ସଚିବ । ଆଲୋଚନା କରିବା ପରେ ଏକ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରଖିଥିଲା ଶିକ୍ଷକ ସଂଘ । ହେଲେ ଆସନ୍ତା ୨୯ ତାରିଖରେ ସରକାରଙ୍କ ସହ ଶିକ୍ଷକ ସଂଘର ଥିବା ଏହି ଆଲୋଚନା କେତେ ସଫଳ ହେଉଛି ତାହା ସମସ୍ତଙ୍କ ନଜର ରହିଛି ।
ସୂଚନା ଯେ, ନଭେମ୍ବର ୨୭ ତାରଖରେ ରାଜଧାନୀର ରାଜରାସ୍ତାରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ । ଭୁବନେଶ୍ୱରର ଲୋୟର ପିଏମଜି ଛକରେ ହଜାର ହଜାର ପ୍ରାଥମିକ ଶିକ୍ଷକ ଏକତ୍ରିତ ହୋଇଥିଲେ । ୫ଦଫା ଦାବି ସହ ୬ବର୍ଷ ଠିକା ଚାକିରି ସମୟକୁ ମୂଳ ଚାକିରିରେ ଗଣନା କରିବାକୁ ଦାବି ରଖିଥିଲା ପ୍ରାଥମିକ ଶିକ୍ଷକ ସଂଘ । ତାହା ସହ ବେତନ ବୃଦ୍ଧି, ପଦୋନ୍ନତି ସୁଯୋଗ, ପ୍ରାଥମିକ ଶିକ୍ଷକଙ୍କୁ ୨୮ଶହ ଟଙ୍କା ଗ୍ରେଡ ପ୍ରେ ପ୍ରଦାନ, ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୂରାତନ ପେନସନ ଯୋଜନା ଅନ୍ତର୍ଭୁକ୍ତ କରିବା ଓ ଏକ୍ସ କ୍ୟାଡର ପ୍ରଥା ଉଚ୍ଛେଦ ସହ କ୍ୟାଡରରେ ଅନ୍ତର୍ଭୁକ୍ତ କରିବା ଓ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ସମସ୍ତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରିବା ଆଦି ଦାବି ପ୍ରାଥମିକ ଶିକ୍ଷକ ସଂଘ ରଖିଥିଲା । ଏହି ଆନ୍ଦୋଳନରେ ଶିକ୍ଷକ ମାନେ ତାଙ୍କର ୬ ବର୍ଷର ହକକୁ ସରକାରଙ୍କୁ ମାଗିଥିବା ଦେଖିବାମୁ ମିଳିଥିଲା । ହେଲେ ୨୯ ତାରିଖରେ ହେବାକୁ ଥିବା ଏହି ବୈଠକରେ ଶିକ୍ଷକଙ୍କ ପାଇଁ କ’ଣ ସରକାର ନିଷ୍ପତ୍ତି ନେଇଛନ୍ତି ତାହା ଆଲୋଚନା କରାଯିବ । ଆଲୋଚନାରେ ସଂଘର ରାଜି ହେଉଛି କି ପୁଣି ଆନ୍ଦୋଳନକୁ ଓହ୍ଲାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।