ଆଜି ବାରିପଦା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ
- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବଂଟନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ
ମୟୁରଭଞ୍ଜ : ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ତୃଣମୂଳସ୍ତରର ନିଜର ସଂଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶହରା ପୂଜା ପରେ ଦ୍ୱିତୀୟ ପର୍ଯ୍ୟାୟ ଜିଲ୍ଲା ଗସ୍ତ ଆରମ୍ଭ କରିବେ । ଶୁକ୍ରଅବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାରିପଦା ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ବୋଲି ସୂଚନା ମିଳିଛି ।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଆସନ୍ତା ୨୨ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସରକାରୀ ହୋଇଥିବାବେଳେ ବିଜେଡି ପକ୍ଷରୁ ଏଥିରୁ ରାଜନୀତିକ ଫାଇଦା ଉଠାଇବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତବେଳେ ପ୍ରାୟ ୧୫୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ସ୍ମାର୍ଟ ହେଲଥ କାର୍ଡ ବଂଟନ କରି ସିଧାସଳଖ ବିଜେଡି ସପକ୍ଷରେ ଜନମତ ସୃଷ୍ଟି ପାଇଁ ଦଳ ରଣନୀତି କରିଛି ।
ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ ଜିଲ୍ଲାର ସମସ୍ତ ୨୬ଟି ବ୍ଲକରେ ଡେରା ପକାଇ ଦଳୀୟ କର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ଦେଖାଇବା ସହ ଏହି କାର୍ଡ ବଂଟନ କରି ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଜିଲ୍ଲାର ସମସ୍ତ ପୌରାଂଚଳ ଓ ଏନଏସିରେ ମଧ୍ୟ ବିଜେଡି ନିଜର ନେତାମାନଙ୍କୁ ମୁତୟନ କରିବାକୁ ନିଷ୍ପତି ନେଇଛି । ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ଜିଲ୍ଲାରେ ଆଶାନୁରୂପ ଫଳ ମିଳିନଥିବାବେଳେ ଦଳ ଏଥର କିନ୍ତୁ ବିରୋଧୀଙ୍କୁ ମାତ୍ ଦେଇ ନିଜର ଭୋଟବ୍ୟାଙ୍କକୁ ସୁଦୃଢ଼ କରାଇବାକୁ ଲକ୍ଷ୍ୟ ରଖିଛି । ବିଜେଡି ପ୍ରାୟ ୧୮ଜଣ ମନ୍ତ୍ରୀ,୩୦ରୁ ଅଧିକ ବିଧାୟକ ଓ ବିଭିନ୍ନ ସରକାରୀ ଉଦ୍ୟୋଗ, ନିଗମ ଓ ବୋର୍ଡ ଅଧ୍ୟକ୍ଷ, ସରକାରଙ୍କ ପରାମର୍ଶଦାତା ଆଦି ମୋଟ ପ୍ରାୟ ୧୦୦ରୁ ଅଧିକ ବିଜେଡି ନେତାମାନଙ୍କୁ ଏହି କାର୍ଡ ବଂଟନ କାର୍ଯ୍ୟକ୍ରମରେ ନିୟୋଜିତ କରିବ ବୋଲି ଜଣାପଡ଼ିଛି । ଏହି ନେତାମାନଙ୍କୁ ୨୧ତାରିଖ ସନ୍ଧ୍ୟା ସୁଦ୍ଧା ଆବଂଟିତ ବ୍ଲକ ଓ ପୌରାଂଚଳରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଂଟନ ଆଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୧୭ ନିର୍ବାଚନରେ ବିଜେଡି ଦୁର୍ବଳ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ଗସ୍ତ କରିଛନ୍ତି । କରୋନା କଟକଣା ମଧ୍ୟରେ ବି କାର୍ଡ ବଂଟନର ଶୁଭାରମ୍ଭ ପାଇଁ ମୁଖ୍ୟଢ଼ନ୍ତ୍ରୀ ମାଲକାନଗିରି, ସୁନ୍ଦରଗଡ଼, ବଲାଙ୍ଗିର, ଗଜପତି ଓ ପୁରୀ ଜିଲ୍ଲା ଗସ୍ତ କରିସାରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ନଭେମ୍ବର ମାସ ଶେଷ ସୁଦ୍ଧା ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ସରକାରୀ କାର୍ଯ୍ୟକ୍ରମ ଶେଷ କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।