ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ
ପଦ୍ମପୁର : ଆଜି ବରଗଡ଼ ଜିଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁର, ପାଇକମାଲ ଓ ଝାରବନ୍ଧରେ ତିନିଟି ସଭାରେ ଯୋଗଦେବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ନବୀନ । ତିନିମାସ ତଳେ ଅର୍ଥାତ୍ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ ପଶ୍ଚିମ ଓଡ଼ିଶା ପାଇଁ ଅନେକ କିଛି ବାର୍ତ୍ତା ଦେବ ବୋଲି ଆକଳନ କରାଯାଉଛି ।
ସୂଚନା ଯେ, ଦିନ ୧୧ଟାରେ ପଦ୍ମପୁର ସଟିଭଟା ବିମାନ ବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ସ୍ବତନ୍ତ୍ର ହେଲିପ୍ଟର ଯୋଗେ ଦିନ ୧୨ ଟା ୧୫ରେ ପାଇକମାଲରେ ପହଞ୍ଚି ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଦିନ ୧ଟା୨୦ ରେ ହେଲିକେପ୍ଟର ଯୋଗେ ପଦ୍ମପୁର ଆର.ଏଲ କଲ୍ୟାଣ ମଣ୍ଡପରେ ପହଞ୍ଚିବେ । ଏହାପରେ ଅପରାହ୍ନ ୩ଟା ୪୫ରେ ପଦ୍ମପୁର ହାଇସ୍କୁଲ ପଡିଆରେ ଜନସଭାକୁ ସମ୍ବୋଧନ କରିବା ସହ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ସେହିପରି ୨୦୨୪ ନିର୍ବାଚନ ଲାଗି ପଶ୍ଚିମ ଓଡ଼ିଶା ପାଇଁ ପଦ୍ମପୁରରୁ ବିଗୁଲ୍ ବଜାଇ ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ବାର୍ତ୍ତା ଦେବେ ବୋଲି ଆକଳନ କରାଯାଉଛି ।