ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଜୟନ୍ତୀଙ୍କୁ ୧୫ ଲକ୍ଷ, ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର
ସାରା ବିଶ୍ୱରେ ଓଡ଼ିଶା ପାଇଁ ସୁନାମ ଆଣିଛ, ତୁମେମାନେ ଓଡ଼ିଶାର ଗୌରବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନବୀନ ନିବାସ ଠାରେ ଦୁଇ ଓଡିଆ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗୀ ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ନବୀନ ନିବାସ ଠାରେ ସମ୍ବର୍ଦ୍ଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଦୁଇ ବାଳିକା କ୍ରୀଡାବିତ୍ ଙ୍କୁ ସେମାନଙ୍କର ସଫଳତା ପାଇଁ ଉଚ୍ଚପ୍ରଶଂସା କରି କହିଥିଲେ ଯେ ସେମାନେ ରାଜ୍ୟ ପାଇଁ ଗୌରବ ଆଣି ଅନ୍ୟ ଖେଳାଳୀ ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି । ସେମାନେ ସାରା ବିଶ୍ୱରେ ଓଡିଶା ପାଇଁ ଗୌରବ ଆଣିଛନ୍ତି ବୋଲି ପ୍ରକାଶ କରି, ଆଗାମୀ ଦିନରେ ଆହୁରି ସଫଳତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିବା ବେଳେ, ଜୟନ୍ତୀଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ ।
ସୂଚନାଯୋଗ୍ୟ ଯେ ଶ୍ରୀୟଙ୍କା ନିକଟରେ କାଇରୋ ଠାରେ ଅନୁଷ୍ଠିତ ଆଇଏସଏସଏଫ୍ ବିଶ୍ୱକପ୍ ସୁଟିଂ ପ୍ରତିଯୋଗୀତାରେ ୫୦ ମିଟର ରାଇଫଲ ୩ ପୋଜିସନ୍ ରେ ବ୍ରୋଞ୍ଜ ମେଡାଲ ପାଇଛନ୍ତି । ସେ ମଧ୍ୟ ବର୍ତମାନ ଜାତୀୟ ସୁଟିଙ୍ଗ ଚାମ୍ପିଅନ ଭାବେ ସୁନାମ ଅର୍ଜନ କରିଛନ୍ତି । ସେହିପରି ଜୟନ୍ତୀ ବେହେରା ଦୁବାଇ ଠାରେ ଅନୁଷ୍ଠିତ ବିଶ୍ୱ ପାରା ଆଥଲେଟିକ୍ସ ପ୍ରତିଯୋଗୀତାରେ ୩ଟି ମେଡାଲ ହାସଲ କରିଛନ୍ତି । ୪୦୦ ଓ ୧୦୦ ମିଟର ପ୍ରତିଯୋଗୀତାରେ ସେ ବ୍ରୋଞ୍ଜ ପଦକ ପାଇଥିବା ବେଳେ, ୨୦୦ ମିଟର ପ୍ରତିଯୋଗୀତାରେ ରୌପ୍ୟ ପଦକ ପାଇଛନ୍ତି । ଉଭୟ କ୍ରୀଡାବିତ୍ ରାଜ୍ୟରେ କ୍ରୀଡା ଭିତିଭୂମି ଓ କ୍ରୀଡାବିତ୍ ମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ପଦକ୍ଷେପର ଉଚ୍ଚପ୍ରଶଂସା କରିଥିଲେ । ଦୁଇ ଖେଳାଳି ମୁଖ୍ୟମନ୍ତ୍ରୀଙ୍କ ସହିତ ଖୁସିରେ ସେଲ୍ଫି ଉଠାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ ।