ଆଜି ସନ୍ଧ୍ୟାରେ କୋଭିଡ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ଆଜି ସନ୍ଧ୍ୟାରେ କୋଭିଡ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେସିଂ ମାଧ୍ୟରେ ଏହି ବୈଠକ ଆୟୋଜିତ ହେବ । ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସମ୍ଭାବ୍ୟ ତୃତୀୟ ଲହର ଓ ବିଭିନ୍ନ ଦେଶରେ ନୂଆ କୋଭିଡ ଭ୍ୟାରିଆଣ୍ଟର ପ୍ରଭାବ ଦେଖିବାକୁ ମିଳିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏନେଇ ସବୁ ଦେଶଙ୍କୁ ମଧ୍ୟ ସତର୍କ କରାଇଛି । ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ରାଜ୍ୟମାନଙ୍କୁ ଏନେଇ ପରାମର୍ଶ ଦେଇଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ଆଜିର କୋଭିଡ ସମୀକ୍ଷା ବହୁ ଗୁରୁତ୍ୱ ରଖୁଛି । ସ୍ବାସ୍ଥ୍ୟସେବା ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ରହିଛି । ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ସୁଦୃଢୀକରଣ ସହିତ ମାନବସମ୍ବଳ ବିନିଯୋଗ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଲୋକମାନେ ଯେପରି ବିନା କୌଣସି ଅସୁବିଧାରେ ସ୍ବାସ୍ଥ୍ୟସେବା ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ପରାମର୍ଶ ଦେଇଛନ୍ତି । ପ୍ରତି ଜୀବନ ମୂଲ୍ୟବାନ । ତେଣୁ ଜିଲ୍ଲା ହସ୍ପିଟାଲଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଯେଭଳି ସ୍ବାସ୍ଥ୍ୟସେବାରେ କୌଣସି ଅସୁବିଧା ନହୁଏ, ସେଥିପାଇଁ ନଜର ଦେବାକୁ କୁହାଯାଇଛି । ଅନ୍ୟପଟେ ରାଜ୍ୟରେ ଜୀବନ ଓ ଜୀବିକା ଗତିଶୀଳ ହୋଇଛି । ଏହାରି ଭିତରେ କୋଭିଡର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ଆଜିର ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା, ଉନ୍ନୟନ କମିଶନର ପି.କେ. ଜେନା ପ୍ରମୁଖ ଉପସ୍ଥିତ ରହିବେ । ଏହାସହ ପୋଲିସ ଡିଜି, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ବୈଠକରେ ସାମିଲ ହେବେ ।
ବର୍ତ୍ତମାନ ପୁଣି ଆଉ ଏକ ରୂପ ଧାରଣ କରି ଭୟାନକ ହୋଇଛି କୋରୋନା ଭୂତାଣୁ । ଯଦିଓ ଏଯାଏଁ ଏହି ନୂଆ ଷ୍ଟ୍ରେନ୍ରେ ଭାରତରେ କେହି ସଂକ୍ରମିତ ହୋଇ ନାହାନ୍ତି, ଏହାସତ୍ତ୍ବେ ସମସ୍ତ ପ୍ରତିକୂଳ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଚାହୁଁଛନ୍ତି ରାଜ୍ୟ ସରକାର । ଆଜିର ବୈଠକ ପରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଲୋଚନା ହେଉଛି । ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ କୋଭିଡ ନୂଆ ଷ୍ଟ୍ରେନ ଅଧିକ ଭୟାନକ ବୋଲି ଆଲୋଚନା ହେଉଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ମଧ୍ୟ ଏହାକୁ ନେଇ ସଜାଗ ରହିଛି । ଏହି କ୍ରମରେ ବିଦେଶରେ କୋଭିଡ ଭୟାଭହତାକୁ ଦେଖି ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି ।