ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି । ଟିଏମସି ସୁପ୍ରିମୋ ସଂପ୍ରତି ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଆସିଛନ୍ତି । ସାକ୍ଷାତ ସମୟରେ ମମତା ପ୍ରଧାନମନ୍ତ୍ରୀଙ୍କ ସହ ଜିଏସଟି ବକେୟା ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ମମତାଙ୍କ ପ୍ରଧାନମନ୍ତ୍ରୀଙ୍କ ସହ ଭେଟ ଏମିତି ସମୟରେ ହୋଇଛି, ଯେଉଁ ସମୟରେ ମମତା ସରକାରଙ୍କ ବରିଷ୍ଠ ନେତା ପାର୍ଥ ଚାଟାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ସମୟରେ ସେ ଜିଏସଟି ବକେୟା ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ଶୀଘ୍ର ପୈଠ କରୁ ବୋଲି ଦାବି କରିଛନ୍ତି । ଏହା ବାଦ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଉଭୟଙ୍କ ମଧ୍ୟରେ ପାଖାପାଖି ଏକ ଘଂଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଛି ।
ବୈଠକ ପରେ ଶୁକ୍ରବାର ସନ୍ଧ୍ୟାରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ଗସ୍ତରେ ସେ ନୀତି ଆୟୋଗ ବୈଠକ ଯୋଗ ଦେବେ । ବୈଠକ ଅଗଷ୍ଟ ୭ରେ ହେବାର ସମ୍ଭାବନା ରହିଛି । ଗତ ବର୍ଷ ଆୟୋଜିତ ବୈଠକରେ ମମତା ଭାଗ ନେଇନଥିଲେ । ଚଳିତ ଥର ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ । ଗତ ଗୁରୁବାର ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ନିଜ ପାର୍ଟିର ସାଂସଦଙ୍କୁ ଭେଟିଥିଲେ । ଏହି ସମୟରେ ସଂସଦରେ ଜାରି ମୌସୁମୀ ଅଧିବେଶନ ଏବଂ ୨୦୨୪ ଲୋକସଭା ନିର୍ବାଚନ ବିଷୟରେ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ନେଇ ମମତା ବାନାର୍ଜୀ ଚର୍ଚ୍ଚାରେ ଥିଲେ ।