ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ!
ନୂଆଦିଲ୍ଲୀ : ଥମୁନି ପଞ୍ଜାବ କଂଗ୍ରେସ ବିବାଦ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ୪୦ ଜଣ ବିଧାୟକ ମୋର୍ଚ୍ଚା ଖୋଲିବା ପରେ ପାର୍ଟି ଶନିବାର ବିଧାୟକ ଦଳର ବୈଠକ ଡାକିଛି । ମାତ୍ର ଏହା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଦଳର ସଭାପତି ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି । ସେ କହିଛନ୍ତି ଯେ ବହୁତ ହୋଇଗଲା ଅପମାନ । ତୃତୀୟ ଥର ପାଇଁ ଏମିତିକା ଅପମାନ ପାଇଲି। ଏଭଳି ଅପମାନ ସହି ସେ ଦଳରେ ରହିପାରିବେ ନାହିଁ। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ମୁଖ୍ୟମନ୍ତ୍ରୀ ପଦର ଇସ୍ତଫା ଦେବା ଲାଗି ଅମରିନ୍ଦରଙ୍କୁ କୁହାଯାଇଛି। ତାଙ୍କ ସ୍ଥାନରେ ନବଜୋତ୍ ସିଂହ ସିଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ବହୁସଂଖ୍ୟକ ବିଧାୟକମାନଙ୍କ ଠାରୁ ଆବେଦନ ପାଇଥିବା ଦର୍ଶାଇ ଜରୁରୀ ବୈଠକ ଘୋଷଣା କରାଯାଉଛି ବୋଲି ଗତ ବିଳମ୍ବିତ ରାତ୍ରୀରେ କଂଗ୍ରେସ ଟୁଇଟ୍ କରିଥିଲା। ଅମରିନ୍ଦର୍ ସିଂହଙ୍କୁ ହଟାଇ ଦେବା ଲାଗି ପଞ୍ଜାବ ବିଧାୟକମାନେ ଦଳ ଉପରେ ଚାପ ପକାଉଥିବା ବେଳେ ଅମରିନ୍ଦର ସିଂହ ଇସ୍ତଫା ଦେବାକୁ ଚାହୁଁ ନାହାନ୍ତି।
କଂଗ୍ରେସ ପଞ୍ଜାବରେ ଚାଲିଥିବା ବିବାଦ ମଧ୍ୟରେ ଶନିବାର ଦିନ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ରାଜ୍ୟ କଂଗ୍ରେସ ବିଧାନସଭା ପାର୍ଟିର ବୈଠକ ଡାକିଛି । ଶୁକ୍ରବାର ରାତିରେ ଏଆଇସିସି ସାଧାରଣ ସମ୍ପାଦକ ତଥା ପଞ୍ଜାବ ବ୍ୟାପାର ଦାୟିତ୍ୱରେ ଥିବା ହରିଶ ରାୱତ ଏହି ସୂଚନା ଦେଇଛନ୍ତି । ରାୱତ ଟ୍ୱିଟ୍ କରି କହିଛନ୍ତି, ପଞ୍ଜାବ କଂଗ୍ରେସ ବିଧାନସଭା ପାର୍ଟିର ବୈଠକ ତୁରନ୍ତ ଡାକିବା ପାଇଁ ଅନେକ କଂଗ୍ରେସ ବିଧାୟକ ଏଆଇସିସିକୁ ଅନୁରୋଧ କରିଥିଲେ । ଏହି କ୍ରମରେ ଶନିବାର ଅପରାହ୍ନ ୫ଟାରେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ବିଧାନସଭା ଦଳର ଏକ ବୈଠକ ଡକାଯାଇଛି । ପଞ୍ଜାବ କଂଗ୍ରେସର ସମସ୍ତ ବିଧାୟକ ଏହି ବୈଠକରେ ଯୋଗଦେବାକୁ ଅନୁରୋଧ କରାଯାଇଛି । ଏହି ଟୁଇଟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ଅମରିନ୍ଦର ସିଂହ ଏବଂ ତାଙ୍କର ଦଳୀୟ ପ୍ରତିଦ୍ବନ୍ଦ୍ବୀ ନବଜୋତ୍ ସିଂହ ସିଧୁଙ୍କ ମଧ୍ୟରେ ଉପୁଜିଥିବା ବିବାଦର ମଧ୍ୟସ୍ଥତା କରିବାକୁ ଉଦ୍ୟମ କରିବାର ଅଳ୍ପ ଦିନ ପରେ ଏହି ବୈଠକ ଡକାଯିବା ନେତୃତ୍ବ ପରିବର୍ତ୍ତନର ସଙ୍କେତ ବହନ କରୁଛି ବୋଲି ଶୁଣାଯାଉଛି।