ଛତିଶଗଡ଼ ଦେଶର ସବୁଠାରୁ ସ୍ବଚ୍ଛ ରାଜ୍ୟ, ଦ୍ବିତୀୟରେ ମହାରାଷ୍ଟ୍ର
ନୂଆଦିଲ୍ଲୀ: ଛତିଶଗଡ଼ ଦେଶର ସବୁଠାରୁ ସ୍ବଚ୍ଛ ରାଜ୍ୟ ବିବେଚିତ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ମହାରାଷ୍ଟ୍ର ରହିଛି। ସେହିପରି ମଧ୍ୟ ପ୍ରଦେଶ ଦେଶର ୩ୟ ସ୍ବଚ୍ଛ ରାଜ୍ୟ ଭାବେ ପୁରସ୍କୃତ ହୋଇଛି। ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୧’ ପ୍ରଦାନ କରିବା ଅବସରରେ ଉପରୋକ୍ତ ୩ଟି ରାଜ୍ୟକୁ ପ୍ରଥମ ତିନିଟି ପୁରସ୍କାର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂ ପୁରୀ ଓ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଛତିଶଗଡ଼ ପକ୍ଷରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ଏହି ପୁରସ୍କାର ଗ୍ରହଣ କରିବା ପରେ ଟ୍ବିଟ୍ କରି ଖୁସି ଜାହିର୍ କରିଛନ୍ତି। ସେ ଏଥିସକାଶେ ଛତିଶଗଡ଼ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଛନ୍ତି। ଛତିଶଗଡ଼ ଜନସାଧାରଣଙ୍କର ସ୍ବଚ୍ଛତା ପ୍ରତି ରହିଥିବା ସ୍ବତନ୍ତ୍ର ଆଗ୍ରହକୁ ସେ ପ୍ରଶଂସା କରିଛନ୍ତି। ଏଥିସହ ପ୍ରତିଟି ଜନପ୍ରତିନିଧି, ସରକାରୀ ଅଧିକାରୀ ଓ ମନ୍ତ୍ରୀ ସ୍ବଚ୍ଛତା ଦିଗରେ କଠିନ ପରିଶ୍ରମ କରିଥିବା ବାଘେଲ୍ କହିଛନ୍ତି। ଏହି ସର୍ବେକ୍ଷଣରେ ଶହେରୁ ଊର୍ଦ୍ଧ୍ବ ମହାନଗର ନିଗମକୁ ସାମିଲ୍ କରାଯାଇଥିବା ବେଳେ ଶହେରୁ କମ୍ ମହାନଗର ନିଗମକୁ ନେଇ କରାଯାଇଥିବା ସର୍ବେକ୍ଷଣରେ ଝାଡ଼ଖଣ୍ଡ ପ୍ରଥମ ପୁରସ୍କାର ଲାଭ କରିଛି। ଏହି ବର୍ଗରେ ହରିୟାଣା ଓ ଗୋଆ ଯଥାକ୍ରମେ ଦ୍ବିତୀୟ ଓ ୩ୟ ପୁରସ୍କାର ପାଇଥିବା ଜଣାପଡ଼ିଛି।
ସେହିପରି ଦେଶର ସବୁଠାରୁ ସ୍ବଚ୍ଛ ସହର ଭାବେ ଇନ୍ଦୋର ପୁରସ୍କୃତ ହୋଇଛି। ମଧ୍ୟପ୍ରଦେଶର ଏହି ସହର କ୍ରମାଗତ ପଞ୍ଚମ ଥର ଭାବେ ଏହି ପୁରସ୍କାର ଲାଭ କରିଛି। ଏହି ବର୍ଗରେ ଗୁଜରାଟର ସୂରତ ଓ ଆନ୍ଧ୍ର ପ୍ରଦେଶର ବିଜୟୱାଡା ଯଥାକ୍ରମେ ଦ୍ବିତୀୟ ଓ ୩ୟ ସ୍ବଚ୍ଛ ସହର ବିବେଚିତ ହୋଇଛନ୍ତି। ଏହି ପୁରସ୍କାର ଦୌଡ଼ରେ ସାମିଲ୍ ଥିବା ସହରଗୁଡ଼ିକର ଜନସଂଖ୍ୟା ଅତି କମରେ ୧ ଲକ୍ଷ ରହିଥିବା ବେଳେ ଏଥିରେ ଶୀର୍ଷ ୧୦ରେ ରହିଥିବା ସହର ମଧ୍ୟରେ ଇନ୍ଦୋର, ସୂରତ ଓ ବିଜୟୱାଡା ବ୍ୟତୀତ ନବୀ ମୁମ୍ବାଇ, ନୂଆଦିଲ୍ଲୀ, ଅମ୍ବିକାପୁର, ତିରୁପତି, ପୁଣେ, ନୋଏଡା ଓ ଉଜ୍ଜୟିନୀ ଆଦି ରହିଛି। ଶୀର୍ଷ ୨୫ ସ୍ବଚ୍ଛ ସହର ମଧ୍ୟରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସର୍ବନିମ୍ନ ଅର୍ଥାତ୍ ୨୫ତମ ସ୍ଥାନରେ ରହିଥିବା ବେଳେ ମହାରାଷ୍ଟ୍ରର ଭିଟା ସହର ଲକ୍ଷେରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ସବୁଠାରୁ ସ୍ବଚ୍ଛ ବିବେଚିତ ହୋଇଛି। ଏହି ବର୍ଗରେ ଦ୍ବିତୀୟ ସ୍ଥାନରେ ଲୋନାୱାଲା ରହିଥିବା ବେଳେ ସାସବଡ ୩ୟ ସ୍ବଚ୍ଛ ସହର ଭାବେ ପୁରସ୍କୃତ ହୋଇଛି। ସେହିପରି ବାରାଣସୀ ସବୁଠାରୁ ସ୍ବଚ୍ଛ ଗଙ୍ଗା ସହର ଭାବେ ପୁରସ୍କୃତ ହୋଇଥିବା ବେଳେ ବିହାରର ମୁଙ୍ଗେୁର ଓ ପାଟନା ଯଥାକ୍ରମେ ଦ୍ବିତୀୟ ଓ ୩ୟ ପୁରସ୍କାର ହାସଲ କରିଥିବା ଜଣାପଡ଼ିଛି।